ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ସିରିଜ୍ ଚୋରି ଘଟଣା ସ୍ଥାନୀୟ ବାସିନ୍ଦା ଓ ବ୍ୟବସାୟୀଙ୍କ ଚିନ୍ତା ବଢ଼ାଇଛି। ଦୁର୍ବୃତ୍ତମାନେ ଘର ଓ ଦୋକାନର ତାଲା ଭାଙ୍ଗି ସୁନାରୂପା ଗହଣା, ବାସନକୁସନ ଓ ନଗଦ ଟଙ୍କା ଲୁଟି ନେଇଛନ୍ତି। ଗତ ଦୁଇ ଦିନ ମଧ୍ୟରେ ୭ରୁ ଅଧିକ ସ୍ଥାନରେ ଚୋରି ଓ ଚୋରି ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି।
ସୋମବାର ବିଳମ୍ବିତ ରାତିରେ ବାଳକାଟି ଫାଣ୍ଡି ଅଧୀନ ରଙ୍ଗଣିସାହିରେ ଭଡ଼ାରେ ରହୁଥିବା କୈଳାସ ଚନ୍ଦ୍ର ମାଣିକ ଓ ସୁନିତା ସାହୁଙ୍କ ଘରେ ଚୋରି ହୋଇଛି। ଉଭୟଙ୍କ ଘରର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ସୁନାରୂପା ଗହଣା ଓ ଅନ୍ୟ ସାମଗ୍ରୀ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ ଉଭୟ ବାଲିଅନ୍ତା ଥାନାରେ ଅଭିଯୋଗ କରିଛନ୍ତି।
ଘର ଖାଲି ଥିବାର ସୁଯୋଗ ନେଇ ଚୋରି
କୈଳାସ ଚନ୍ଦ୍ର ମାଣିକ ଗତ ୭ ମାସ ଧରି ରଙ୍ଗଣିସାହିରେ ଭଡ଼ାରେ ରହୁଥିଲେ। ଦଶହରା ପାଇଁ ସେ ଘରକୁ ଯାଇଥିବାବେଳେ ତାଙ୍କ ଘରର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ଭ୍ୟାନିଟି ବ୍ୟାଗ୍ରେ ଥିବା ସୁନା ଲକେଟ୍, ଦୁଇଟି ସୁନାମୁଦି, ରୂପା ପାଉଁଜି, ବ୍ରତ ଓ ପ୍ରାୟ ୬୦ ଗ୍ରାମ ଭଙ୍ଗା ରୂପା ଅଳଙ୍କାର ଚୋରି କରି ନେଇଛନ୍ତି।
ସେହିପରି ସୁନିତା ସାହୁଙ୍କ ଘରେ ଥିବା ଏକ ଟ୍ରଙ୍କର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ପ୍ରାୟ ୧୦ ହଜାର ଟଙ୍କା ମୂଲ୍ୟର ବାସନକୁସନ ଲୁଟି ନେଇଛନ୍ତି।
ଦୋକାନରୁ ନଗଦ ୩୦ ହଜାର ଟଙ୍କା ଲୁଟ୍
ଏହାର ଦୁଇ ଦିନ ପୂର୍ବରୁ ଶିଶିଲୋ ଅଙ୍ଗନବାଡ଼ି କେନ୍ଦ୍ର ନିକଟ ମହାଲସାହି ଓ ପ୍ରତାପ ଶାସନ ପଞ୍ଚାୟତ ଅଞ୍ଚଳରେ ମଧ୍ୟ ଚୋରି ହୋଇଥିଲା। ଦୁର୍ବୃତ୍ତମାନେ ଗୋଟିଏ ତେଜରାତି ଦୋକାନ ସମେତ ଅନ୍ୟ ଚାରିଟି ଦୋକାନର ତାଲା ଭାଙ୍ଗି ବିଭିନ୍ନ ସାମଗ୍ରୀ ସହ ପ୍ରାୟ ୩୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।
ଘଟଣାଗୁଡ଼ିକୁ ନେଇ ବ୍ୟବସାୟୀମାନେ ଅଭିଯୋଗ କରିଥିଲେ ମଧ୍ୟ ଲୁଟେରାଙ୍କୁ ଚିହ୍ନଟ କରିବାରେ ପୁଲିସ ଏଯାଏଁ ସଫଳ ହୋଇନାହିଁ। ଅଞ୍ଚଳରେ ନିଶା କାରବାର ଓ ପୁଲିସ ପାଟ୍ରୋଲିଂରେ ଢିଲାପଣ ଯୋଗୁଁ ଏଭଳି ଘଟଣା ବଢ଼ୁଥିବା ଅଭିଯୋଗ ହେଉଛି। ତେବେ ଚୋରି ଘଟଣାଗୁଡ଼ିକର ତଦନ୍ତ ଚାଲିଛି।




