ବରଗଡ଼: ବରଗଡ଼ ଜିଲ୍ଲାରୁ ଏକ ଅତ୍ୟନ୍ତ ସମ୍ବେଦନଶୀଳ ଓ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ବାରଡୋଲସ୍ଥିତ ଏକ ଘରୋଇ କଲେଜର ଅଧ୍ୟକ୍ଷଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଅଧ୍ୟକ୍ଷଙ୍କ ନାମ ଦେବଦତ୍ତ ପ୍ରଧାନ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, କୋଚିଂ ଦେବା ବାହାନାରେ ଅଭିଯୁକ୍ତ ଅଧ୍ୟକ୍ଷ ଦେବଦତ୍ତ ପ୍ରଧାନ ଛାତ୍ରଜଣଙ୍କୁ ନିଜ ଜାଲରେ ଫସାଇଥିଲେ। କଲେଜର କୋଚିଂ ସେଣ୍ଟରରୁ ସେ ଛାତ୍ରଙ୍କୁ ବରଗଡ଼ ସହରକୁ ନେଇଯାଇଥିଲେ। ସେଠାରେ ଏକ ହୋଟେଲ ରୁମ୍ ବୁକ୍ କରି ଛାତ୍ରଙ୍କୁ ରଖିବା ସହ ତାଙ୍କ ସହ କୁକର୍ମ କରିଥିବା ଅଭିଯୋଗ ହୋଇଛି।

ପାଠପଢ଼ା ପାଇଁ ରାତିସାରା ରହିବାକୁ ପଡ଼ିବ ବୋଲି ପ୍ରଥମେ ଛାତ୍ରଙ୍କ ପରିବାର ଲୋକଙ୍କୁ କୁହାଯାଇଥିଲା। ହୋଟେଲ କୋଠରୀ ଭିତରେ ନିର୍ଯାତନାର ଶିକାର ହେବା ପରେ ପୀଡ଼ିତ ଛାତ୍ରଜଣକ କୌଶଳକ୍ରମେ ନିଜ ପରିବାରକୁ ମେସେଜ୍ ପଠାଇ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜଣାଇଥିଲେ। ମେସେଜ୍ ପାଇବା ମାତ୍ରେ ପରିବାର ଲୋକେ ତୁରନ୍ତ ପୋଲିସ ସହ ଯୋଗାଯୋଗ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଙ୍କୁ ଉଦ୍ଧାର କରିଥିଲା।

ଏହି ଘଟଣାରେ ପୀଡ଼ିତଙ୍କ ପରିବାର ଲୋକଙ୍କ ଏତଲା ଆଧାରରେ ବରଗଡ଼ ଟାଉନ୍ ପୋଲିସ ଅଭିଯୁକ୍ତ ଅଧ୍ୟକ୍ଷ ଦେବଦତ୍ତ ପ୍ରଧାନଙ୍କୁ ଗିରଫ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣାର ସମ୍ପୂର୍ଣ୍ଣ ସତ୍ୟାସତ୍ୟ ପଦାକୁ ଆଣିବା ପାଇଁ ପୋଲିସ ଛାନବିନ୍ ଜାରି ରଖିଛି। ସେପଟେ ଅଭିଯୁକ୍ତଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୀଡ଼ିତ ଛାତ୍ରଙ୍କ ପରିବାର ଏବଂ ସ୍ଥାନୀୟ ଲୋକେ ଦାବି କରିଛନ୍ତି।