ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଧୀରେ ଧୀରେ ଅଧିକ ଘନୀଭୂତ ହେଉଛି। ଏହା ନଭେମ୍ବର ୧୬ ତାରିଖରେ ବାତ୍ୟା ଏବଂ ୧୭ ତାରିଖରେ ଭୀଷଣ ବାତ୍ୟାର ରୂପ ନେଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ଆକଳନ କରିଛି। ଏହି ପାଣିପାଗ ପ୍ରଣାଳୀର ପ୍ରଭାବରେ ଓଡ଼ିଶାରେ ନଭେମ୍ବର ୧୮ରୁ ବର୍ଷା ଆରମ୍ଭ ହେବା ସହ ୧୯ରୁ ୨୧ ତାରିଖ ମଧ୍ୟରେ କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇପାରେ।

୧୭ରେ ଭୀଷଣ ବାତ୍ୟାର ରୂପ ନେବା ଆଶଙ୍କା

IMDର ନଭେମ୍ବର ୧୫ ତାରିଖର ବୁଲେଟିନ୍‌ ଅନୁସାରେ, ଦକ୍ଷିଣ-ପୂର୍ବ ଓ ସଂଲଗ୍ନ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହୋଇଛି। ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ୧୬ ତାରିଖରେ ଦକ୍ଷିଣ ଓ ସଂଲଗ୍ନ ପଶ୍ଚିମ-ମଧ୍ୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେଇପାରେ। ପରେ ୧୭ ତାରିଖରେ ଏହା ଭୀଷଣ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି। ଏହା ପରବର୍ତ୍ତୀ ଦୁଇ ଦିନ ମଧ୍ୟରେ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରିପାରେ।

୧୮ରୁ ଓଡ଼ିଶାରେ ବର୍ଷା, ୧୯ରୁ ବଢ଼ିବ ପ୍ରଭାବ

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ନଭେମ୍ବର ୧୮ରେ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ସହ ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।

୧୯ ତାରିଖରେ ଗଜପତି, ଗଞ୍ଜାମ ଓ ପୁରୀର କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି। ଏହାସହ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ।

୨୦ ତାରିଖରେ ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ପ୍ରବଳ ବର୍ଷା ହୋଇପାରେ।

୨୧ ତାରିଖରେ ପାଣିପାଗର ପ୍ରଭାବ ପଶ୍ଚିମ ଓଡ଼ିଶା ଆଡ଼କୁ ବିସ୍ତାର ହୋଇପାରେ। ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ର କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ଏବଂ ବାଲେଶ୍ୱର, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର ଓ ବଲାଙ୍ଗୀରରେ ପ୍ରବଳ ବର୍ଷା ହୋଇପାରେ।

ଦକ୍ଷିଣ ଓଡ଼ିଶା ଉପକୂଳରେ ପବନ ସତର୍କତା

ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶା ଉପକୂଳରେ ନଭେମ୍ବର ୧୭ ସକାଳରୁ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବା ସହ ଝଟକାରେ ଏହା ୬୦ କିମି ପର୍ଯ୍ୟନ୍ତ ପହଞ୍ଚିପାରେ। ୧୮ ତାରିଖରୁ ୨୦ ତାରିଖ ସକାଳ ପର୍ଯ୍ୟନ୍ତ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିମି ଏବଂ ଝଟକାରେ ୭୦ କିମି ପର୍ଯ୍ୟନ୍ତ ହୋଇପାରେ।

ସମୁଦ୍ର ଅଶାନ୍ତ ରହିବା ଆଶଙ୍କା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି। ଅବପାତର ଗତିପଥ ଓ ତୀବ୍ରତା ଉପରେ ନଜର ରଖାଯାଇଛି। ଆଗାମୀ ବୁଲେଟିନ୍‌ରେ ବର୍ଷା ଓ ପବନ ସମ୍ପର୍କିତ ଚେତାବନୀରେ ପରିବର୍ତ୍ତନ ହୋଇପାରେ।