ରାଜନଗର: ପବିତ୍ର ମହାଷ୍ଟମୀ ତିଥି ଅବସରରେ ଭିତରକନିକା ଜାତୀୟ ଉଦ୍ୟାନର ଘଞ୍ଚ ଜଙ୍ଗଲ ମଧ୍ୟରେ ବିରାଜମାନ ଆରାଧ୍ୟା ଦେବୀ ମା’ ବନଦେବୀଙ୍କ ପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। କନିକା ରାଜପରିବାରର ପାରମ୍ପରିକ ରୀତିନୀତି ଅନୁଯାୟୀ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ମା’ଙ୍କ ପୀଠରେ ଏହି ଗୁପ୍ତ ଓ ସ୍ୱତନ୍ତ୍ର ନୀତିକାନ୍ତି ସମ୍ପନ୍ନ ହୋଇଛି।
କନିକା ରାଜପରିବାରର ବିଶୋଇ ସୁବାସ ଦାସଙ୍କ ନେତୃତ୍ୱରେ ପୂଜକ, ସେବାୟତ, ରୋଷେୟା ଓ ଟହଲିଆଙ୍କୁ ମିଶାଇ ମୋଟ ୧୫ ଜଣିଆ ସେବାୟତ ଦଳ ମା’ଙ୍କ ପୀଠରେ ପହଞ୍ଚିଥିଲେ। ସେମାନେ ନଦୀପଥରେ ବୋଟ୍ ଯୋଗେ ଭିତରକନିକା ଫରେଷ୍ଟ ବ୍ଲକ୍ରେ ଓହ୍ଲାଇବା ପରେ ଗହନ ଜଙ୍ଗଲ ମଧ୍ୟରେ ପ୍ରାୟ ୩ କିଲୋମିଟର ପଦଯାତ୍ରା କରି ମନ୍ଦିର ନିକଟରେ ପହଞ୍ଚିଥିଲେ। ବର୍ଷକରେ କେବଳ ଏହି ଗୋଟିଏ ଦିନ ମା’ ବନଦେବୀଙ୍କୁ ବ୍ରାହ୍ମଣ ପୂଜକଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଥାଏ।
ମା’ ବନଦେବୀଙ୍କ ମନ୍ଦିରରେ ମା’ଙ୍କର ମୁଗୁନି ପଥରର ମୂର୍ତ୍ତି ସହ ଅତି ପ୍ରାଚୀନ ମୁଗୁନି ପଥରରେ ନିର୍ମିତ ହରପାର୍ବତୀଙ୍କ ମୂର୍ତ୍ତି ପୂଜା ପାଉଛନ୍ତି। ମହାଷ୍ଟମୀ ଅବସରରେ ମା’ ବନଦେବୀ ଓ ହରପାର୍ବତୀଙ୍କୁ ପ୍ରଥମେ ସ୍ୱତନ୍ତ୍ର ମହାସ୍ନାନ କରାଯାଇଥିଲା। ପୂଜାର୍ଚ୍ଚନା ପରେ ରୀତିନୀତି ଅନୁଯାୟୀ ମା’ଙ୍କ ନିକଟରେ ଭାତ ଓ ପାରମ୍ପରିକ ‘ମାଛ ଘାଣ୍ଟ’ ପ୍ରସାଦ ମନୋଭୋଗ ଭାବେ ଅର୍ପଣ କରାଯାଇଥିଲା।
ଐତିହାସିକ ତଥ୍ୟ ଅନୁସାରେ, ୧୨୦୦ ଖ୍ରୀଷ୍ଟାବ୍ଦରେ କନିକା ରାଜା ଭୁଜବଳ ଭଞ୍ଜ ଘଞ୍ଚ ଜଙ୍ଗଲ ମଧ୍ୟରେ ମା’ ବନଦେବୀଙ୍କ ଏହି ମନ୍ଦିର ପ୍ରତିଷ୍ଠା କରିଥିଲେ। ପୂର୍ବକାଳରେ କନିକା ରାଜପରିବାରର ରାଜାମାନେ କୌଣସି ଯୁଦ୍ଧାଭିଯାନରେ ଯିବା ପୂର୍ବରୁ ମା’ଙ୍କ ଆଶୀର୍ବାଦ ନେବା ପାଇଁ ଏଠାରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରୁଥିଲେ।
ସୂଚନାଯୋଗ୍ୟ ଯେ, ସମଗ୍ର ଭିତରକନିକା ଅଞ୍ଚଳକୁ ଜାତୀୟ ଉଦ୍ୟାନ ଭାବେ ଘୋଷଣା କରାଯାଇଥିଲେ ହେଁ, ମନ୍ଦିର ଥିବା ୧୧ ଏକର ୪୨ ଡେସିମିଲ୍ ଜମି ଆଜି ବି ‘ଶ୍ରୀ ନାୟକ ବାବୁ ବିଜେ, ଭିତରକନିକା ସେବାୟତ ଟ୍ରଷ୍ଟ’ ତଥା ରାଜା ରବୀନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ନାମରେ କନିକା ରାଜପରିବାରର ସମ୍ପତ୍ତି ଭାବେ ରହିଛି।




