ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଏବଂ କଟକ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଅଧିକ ସୁଦୃଢ଼ କରିବା ସହ ସାଧାରଣ ଜନତାଙ୍କ ସୁରକ୍ଷାକୁ ବଢ଼ାଇବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛି କମିଶନରେଟ୍ ପୋଲିସ। ଗୁରୁବାର କମିଶନରେଟ୍ ପୋଲିସ ପକ୍ଷରୁ ଦୁଇଟି ସ୍ୱତନ୍ତ୍ର ଫୋର୍ସ – ‘ସ୍ପେଶାଲ ଟାକଟିକାଲ ୟୁନିଟ୍’ (STU) ଏବଂ ‘ସ୍ପେଶାଲ ଟାସ୍କ ଗ୍ରୁପ୍’ (STG) ଗଠନ କରାଯାଇଛି।

ସାମ୍ପ୍ରତିକ ସମୟରେ ବାଲିଅନ୍ତା ଅଞ୍ଚଳରେ ଘଟିଥିବା ଗୋଷ୍ଠୀବଦ୍ଧ ଆକ୍ରମଣ (ମବ୍ ଲିଞ୍ଚିଂ) ଏବଂ ଅନ୍ୟାନ୍ୟ ସଦୃଶ ଘଟଣାକୁ ଗମ୍ଭୀରତାର ସହ ନେଇ ପୋଲିସ ଏହି ଆଗୁଆ ପଦକ୍ଷେପ ସ୍ୱରୂପ ନୂଆ ଫୋର୍ସ ଗଠନ କରିଛି। ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ନୂତନ ଭାବେ ଗଠିତ ଟିମ୍‌ଗୁଡ଼ିକୁ ସହରର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ‘ଇମରଜେନ୍ସି ରେସପନ୍ସ ସପୋର୍ଟ ସିଷ୍ଟମ’ (ERSS) ଏବଂ ପିସିଆର୍ (PCR) ଭ୍ୟାନ ସହିତ ମୁତୟନ କରାଯିବ।

ସହରର କୌଣସି ସ୍ଥାନରେ ଗୋଷ୍ଠୀବଦ୍ଧ ହିଂସା କିମ୍ବା ଉତ୍ତେଜନା ଦେଖାଦେଲେ, ଏହି ପ୍ରଶିକ୍ଷିତ ୟୁନିଟ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ବିଗିଡ଼ିବା ପୂର୍ବରୁ ତାହାକୁ ଆୟତ୍ତ କରିବେ। ଏହି ବାହିନୀରେ ସାମିଲ ହୋଇଥିବା ପୋଲିସ କର୍ମଚାରୀମାନଙ୍କୁ ଜନଗହଳି ନିୟନ୍ତ୍ରଣ (Crowd Management), ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ଏବଂ କ୍ଷିପ୍ର କାର୍ଯ୍ୟାନୁଷ୍ଠାନ ପାଇଁ ସ୍ୱତନ୍ତ୍ର ତାଲିମ ଦିଆଯାଇଛି।

କେବଳ ଗୋଷ୍ଠୀ ହିଂସା ରୋକିବା ନୁହେଁ, ବରଂ ସହରାଞ୍ଚଳରେ ଆଣ୍ଟି-ଟେରର (ସନ୍ତ୍ରାସବାଦ ବିରୋଧୀ) କାର୍ଯ୍ୟାନୁଷ୍ଠାନ, ଭିଭିଆଇପି (VVIP) ସୁରକ୍ଷା ଏବଂ ବଡ଼ ଧରଣର ଜନସମାବେଶ ସମୟରେ ତୀକ୍ଷ୍ଣ ନଜର ରଖିବା ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମଧ୍ୟ ଏହି STU ଏବଂ STG ଫୋର୍ସ ତୁଲାଇବେ।

ଟ୍ୱିନ୍ ସିଟି ପୋଲିସ ବ୍ୟବସ୍ଥାକୁ ଅଧିକ ଆଧୁନିକ ଓ ବୃତ୍ତିଗତ କରିବା ସହ ଜନସାଧାରଣଙ୍କ ମଧ୍ୟରେ ପୋଲିସ ପ୍ରତି ଆସ୍ଥାଭାଜନ ବୃଦ୍ଧି କରିବା ଉଦ୍ଧେଶ୍ୟରେ ଏହି ସ୍ୱତନ୍ତ୍ର ବାହିନୀ ବେଶ୍ ସହାୟକ ହେବ ବୋଲି ବରିଷ୍ଠ ପୋଲିସ ଅଧିକାରୀମାନେ ପ୍ରକାଶ କରିଛନ୍ତି।