Bhubaneswar: ବୁଧବାର ଅପରାହ୍ଣ ପ୍ରାୟ ୩ଟା ସମୟରେ ଟ୍ବିନ୍ ସିଟି BhubaneswarCuttack ଯୋଗାଯୋଗ କରୁଥିବା ୧୬ନମ୍ବର ଜାତୀୟ ରାଜପଥର Palasuni Bridge ଉପରେ ଏକ କେମିକାଲ୍ ବୋଝେଇ ଟ୍ରକ୍‌ରେ ଅଗ୍ନିକାଣ୍ଡ ଘଟିଥିବାରୁ ସମଗ୍ର ଅଞ୍ଚଳରେ ଭୟାବହ ଟ୍ରାଫିକ୍ ଜାମ୍ ସୃଷ୍ଟି ହୋଇଥିଲା। ଏହି ଘଟଣା ପରେ ହଜାର ହଜାର ଗାଡ଼ି ରାସ୍ତାରେ ଅଟକି ପଡ଼ିଥିଲେ ଏବଂ ଯାତ୍ରୀମାନେ ତିବ୍ର ଖରାରେ ଦୀର୍ଘ ସମୟ ଧରି ଅସୁବିଧା ଭୋଗିଥିଲେ।

ସୂଚନା ଅନୁଯାୟୀ, କଟକରୁ ଖଣ୍ଡଗିରି ଦିଗକୁ ଯାଉଥିବା ଏକ ୧୪ଚକିଆ ଟ୍ରକ୍ ପଳାଶୁଣୀ ସେତୁ ଉପରେ ପହଞ୍ଚିବା ସମୟରେ ହଠାତ୍ ନିଆଁ ଲାଗିଯାଇଥିଲା। ଚାଳକ ଓ ସହଯୋଗୀ ଗାଡ଼ିରୁ ବାହାରି ପଳାଇ ଯାଇଥିଲେ। ଟ୍ରକ୍‌ରେ ଥିବା ତରଳ କେମିକାଲ୍ ରାସ୍ତାରେ ପ୍ରବାହିତ ହୋଇ ନିଆଁକୁ ଆହୁରି ବ୍ୟାପକ କରିଦେଇଥିଲା, ଫଳରେ ରାସ୍ତାର ଏକ ଅଂଶ ମଧ୍ୟ ଜଳିଯାଇଥିଲା।

ଖବର ପାଇ ଅଗ୍ନିଶମ ବାହିନୀ ଦୁଇଟି ଗାଡ଼ି ସହ ଘଟଣାସ୍ଥଳକୁ ପହଞ୍ଚି ଫୋମ୍‌ ବ୍ୟବହାର କରି ଅଗ୍ନିନିବାପଣ କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରାୟ ଘଣ୍ଟାଏ ପରେ ନିଆଁ ନିୟନ୍ତ୍ରଣରେ ଆସିଥିଲେ ମଧ୍ୟ ଟ୍ରକ୍‌ଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିଲା।

ଏହି ଘଟଣା ପରେ ଜାତୀୟ ରାଜପଥରେ ଯାତାୟାତ ପୂରାପୂରି ବନ୍ଦ ହୋଇଯାଇଥିଲା। ମଙ୍ଗୁଳିରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଲମ୍ବା ଗାଡ଼ିର ଲାଇନ୍ ଦେଖିବାକୁ ମିଳିଥିଲା। ଅଫିସ୍ ସମୟ ହେବାରୁ ଅନେକ ଲୋକ ରାସ୍ତାରେ ଅଟକି ପଡ଼ିଥିଲେ ଓ ଆମ୍ବୁଲାନ୍ସ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଥିଲା।

ଟ୍ରାଫିକ୍ ପରିଚାଳନାରେ ବ୍ୟବସ୍ଥାପନା ଅଭାବ ଥିବାରୁ ପରିସ୍ଥିତି ଆହୁରି ଗମ୍ଭୀର ହୋଇଥିଲା। Commissionerate Police ପକ୍ଷରୁ ସମୟୋପଯୁକ୍ତ ଭାବେ ବିକଳ୍ପ ରୁଟ୍ ବ୍ୟବସ୍ଥା କରାଯାଇନଥିବାରୁ ଗଳିକନ୍ଦି ରାସ୍ତାମାନେ ମଧ୍ୟ ଜାମ୍ ହୋଇଯାଇଥିଲା।

ପରେ ବହୁ ବିଳମ୍ବରେ କଟକ ପଟୁ ବାଲିକୁଦା ଓ ଭୁବନେଶ୍ୱର ପଟୁ ହଂସପାଳ ଅଞ୍ଚଳରୁ କିଛି ଗାଡ଼ିକୁ ଅନ୍ୟ ମାର୍ଗକୁ ଘୁଞ୍ଚାଯାଇଥିଲା। ତଥାପି, ପ୍ରାୟ ୭ ଘଣ୍ଟା ପର୍ଯ୍ୟନ୍ତ ଟ୍ରାଫିକ୍ ସମସ୍ୟା ଚାଲିଥିଲା ଏବଂ ରାତି ୧୦ଟା ପରେ ପରିସ୍ଥିତି ସାଧାରଣ ହେବା ଆରମ୍ଭ କରିଥିଲା।

ଏହି ଘଟଣା ପୁନର୍ବାର ଟ୍ବିନ୍ ସିଟିର ଟ୍ରାଫିକ୍ ପରିଚାଳନା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି, ଯେଉଁଠାରେ ଏକମାତ୍ର ଦୁର୍ଘଟଣା ଦୁଇଟି ସହରର ଯାତାୟାତକୁ ଦୀର୍ଘ ସମୟ ପାଇଁ ଅସ୍ଥିର କରିଦେଲା।