ଝାରଗ୍ରାମ: ଜିତୁସୋଲ ପ୍ରାଥମିକ ବିଦ୍ୟାଳୟ ସ୍ଥିତ ମତଦାନ କେନ୍ଦ୍ର ବାହାରେ ଏକ ବିଶାଳକାୟ ହାତୀ ଦେଖାଦେବା ପରେ ଭୋଟରଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା।
ହାତୀ କରିଡର ମଧ୍ୟରେ ଥିବାରୁ ଦକ୍ଷିଣ ପଶ୍ଚିମବଙ୍ଗର ପ୍ରାୟ ୨୫ଟି ମତଦାନ କେନ୍ଦ୍ରକୁ ସମ୍ବେଦନଶୀଳ ଘୋଷଣା କରାଯାଇଛି, ଯେଉଁଥିରୁ ୬୦% କେବଳ ଝାରଗ୍ରାମରେ ଅଛି।
ମାଣିକପାରା, ବେଲପାହାରି, ବଂଶପାହାରି, ଲାଲଗଡ ସମେତ ବାଙ୍କୁରା ଓ ପଶ୍ଚିମ ମିଦନାପୁରର କିଛି ଅଂଶରେ ସତର୍କତା ଜାରି କରାଯାଇଛି।
ନିର୍ବାଚନ କମିଶନ ଏବଂ ବନ ବିଭାଗ ମିଳିତ ଭାବେ ମତଦାନକୁ ସୁରକ୍ଷିତ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି।
ପ୍ରାୟ ୭୫ଟି ଟ୍ରାକିଂ ଟିମ୍ ନିୟୋଜିତ କରାଯାଇଛି। ପ୍ରତି ଦଳରେ ୧୦-୧୫ ଜଣ ତାଲିମପ୍ରାପ୍ତ କର୍ମଚାରୀ ଅଛନ୍ତି।
ହାତୀଙ୍କ ଗତିବିଧିକୁ ନିୟନ୍ତ୍ରଣ କରିବା ପାଇଁ ଓଡ଼ିଶା ଓ ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳରେ ୪୫୦-୫୦୦ଟି ଡ୍ରପ୍ ଗେଟ୍ ଲଗାଯାଇଛି।
ଏହାସହ ଅନେକ ସ୍ଥାନରେ AI-ସକ୍ଷମ ସିସିଟିଭି କ୍ୟାମେରା ଜରିଆରେ ନଜର ରଖାଯାଉଛି ଏବଂ ଏଥିପାଇଁ ଏକ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ ମଧ୍ୟ କାର୍ଯ୍ୟ କରୁଛି।
ବନ୍ୟପ୍ରାଣୀଙ୍କ ଉପସ୍ଥିତି ସତ୍ତ୍ୱେ ଭୋଟରମାନେ ଯେପରି ନିର୍ଭୟରେ ମତଦାନ କରିପାରିବେ, ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସୁବିଧା କରାଯାଇଥିବା ସୂଚନା ମିଳିଛି।




