ଭୁବନେଶ୍ୱରରେ ଅଭାବନୀୟ କାଣ୍ଡ: ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ପ୍ରେମିକ ସମେତ ୪ ଗିରଫ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ରୀଙ୍କୁ ତାଙ୍କ ପ୍ରେମିକ ଓ ତାଙ୍କର ୩ ସାଙ୍ଗ ମିଶି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଇନଫୋଭ୍ୟାଲି ଥାନା ଅନ୍ତର୍ଗତ କାଇମାଟିଆ ଅଞ୍ଚଳରେ ଥିବା ଏକ ଘରୋଇ ମେସ୍ରେ ଏହି ଜଘନ୍ୟ କାଣ୍ଡ ଘଟିଥିବା ପୋଲିସ ସୂଚନା ଦେଇଛି। ଏହି ମାମଲାରେ ପୋଲିସ ତତ୍ପରତା ପ୍ରକାଶ କରି ସମସ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ: ୧. ସିପୁନ ବେହେରା ୨. ରଞ୍ଜନ ବେହେରା ୩. ଶୁଭଙ୍କର ପାଢ଼ୀ ୪. ରତିକାନ୍ତ
ରିପୋର୍ଟ ଅନୁସାରେ, ପୀଡ଼ିତା ଛାତ୍ରୀଙ୍କୁ ତାଙ୍କ ପ୍ରେମିକ କାଇମାଟିଆ ସ୍ଥିତ ମେସ୍କୁ ଡାକିଥିଲେ। ସେଠାରେ ପ୍ରେମିକ ଓ ତାଙ୍କର ଅନ୍ୟ ତିନି ବନ୍ଧୁ ମିଶି ଛାତ୍ରୀଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ପୀଡ଼ିତା ଇନଫୋଭ୍ୟାଲି ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ।
ଛାତ୍ରୀଙ୍କ ଅଭିଯୋଗ ଆଧାରରେ ପୋଲିସ ପ୍ରଥମେ ଅଭିଯୁକ୍ତମାନଙ୍କୁ ଅଟକ ରଖି ପଚରାଉଚରା କରିଥିଲା ଏବଂ ପରେ ସମସ୍ତଙ୍କୁ ଗିରଫ କରାଯାଇଛି। କମିଶନରେଟ୍ ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରି ପ୍ରମାଣ ସଂଗ୍ରହ କରିଛନ୍ତି। ଅଭିଯୁକ୍ତମାନେ କିଭଳି ଓ କେଉଁ ପରିସ୍ଥିତିରେ ଏହି କାଣ୍ଡ ଭିଆଇଲେ, ସେ ନେଇ ପୋଲିସ ଅଧିକ ଖୋଳତାଡ଼ ଜାରି ରଖିଛି। ରାଜଧାନୀରେ ଛାତ୍ରୀଙ୍କ ସୁରକ୍ଷାକୁ ନେଇ ଏହି ଘଟଣା ପରେ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।




