ଭୁବନେଶ୍ୱର: ରାଜ୍ୟର କଳା ଓ ସଂସ୍କୃତି କ୍ଷେତ୍ରରେ ଏକ ପ୍ରମୁଖ ସଫଳତା ସ୍ୱରୂପ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଦିନ ‘ତୃତୀୟ ଭୁବନେଶ୍ୱର ଚଳଚ୍ଚିତ୍ର ମହୋତ୍ସବ-୨୦୨୬’ (Bhubaneswar Film Festival-2026)ର ଆଧିକାରିକ ସୂଚୀ ଉନ୍ମୋଚନ କରିଛନ୍ତି। ଚଳିତ ମାସ ଜୁନ୍ ୨୫ ତାରିଖରୁ ଆରମ୍ଭ ହୋଇ ଜୁନ୍ ୨୮ ପର୍ଯ୍ୟନ୍ତ ଏହି ଚଳଚ୍ଚିତ୍ର ମହୋତ୍ସବ ସ୍ଥାନୀୟ ଲୋକସେବା ଭବନଠାରେ ଅନୁଷ୍ଠିତ ହେବ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଚଳଚ୍ଚିତ୍ର ମହୋତ୍ସବର ନିର୍ଦ୍ଦେଶକ ସଞ୍ଜୟ ପଟ୍ଟନାୟକ, ସହ-ନିର୍ଦ୍ଦେଶକ ସୁକାନ୍ତ ରଥ ଏବଂ ଅଶୋକ ପାଳିତଙ୍କ ସହ ଆଲୋଚନା କରିବା ସହ ଏଭଳି ପ୍ରୟାସକୁ ବେଶ୍ ପ୍ରଶଂସା କରିଥିଲେ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆସନ୍ତା ୨୦୨୭ ବର୍ଷଠାରୁ ଭୁବନେଶ୍ୱର ଚଳଚ୍ଚିତ୍ର ମହୋତ୍ସବକୁ ଆହୁରି ବ୍ୟାପକ କରାଯିବ, ଯାହାଦ୍ୱାରା ଓଡ଼ିଶାର କଳା, ଇତିହାସ ଏବଂ ସିନେମାକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରାଯାଇପାରିବ। “ଏହି ଚଳଚ୍ଚିତ୍ର ମହୋତ୍ସବ ଆଗାମୀ ଦିନରେ ଆନ୍ତର୍ଜାତୀୟ ସ୍ତରରେ ରାଜ୍ୟକୁ ପ୍ରତିନିଧିତ୍ୱ କରିବା ଭଳି ଏକ ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମରେ ପରିଣତ ହେବାର ସମ୍ପୂର୍ଣ୍ଣ ସମ୍ଭାବନା ରହିଛି।”

ଚଳଚ୍ଚିତ୍ର ମହୋତ୍ସବର ନିର୍ଦ୍ଦେଶକ ସଞ୍ଜୟ ପଟ୍ଟନାୟକ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ମିଳୁଥିବା ନିରନ୍ତର ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ରାଜ୍ୟରେ ସିନେମାର ବିକାଶ ଏବଂ ସାଂସ୍କୃତିକ ପ୍ରସାର ଦିଗରେ ଏହି ପଦକ୍ଷେପ ଏକ ମାଇଲଖୁଣ୍ଟ ସଦୃଶ ବୋଲି ସେ ଅଭିହିତ କରିଛନ୍ତି। ଏହି ମହୋତ୍ସବ ଭୁବନେଶ୍ୱରର ଜୟଦେବ ଭବନ ଠାରେ ପୂର୍ବାହ୍ନ ୧୦ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଚାଲିବ।

ଚାରି ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଆ ସିନେମା ସହିତ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପୁରସ୍କାର ପ୍ରାପ୍ତ ଅନେକ ସ୍ମରଣୀୟ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ। ଏଥିରେ କନ୍ନଡ଼, ହିନ୍ଦୀ, ବେଙ୍ଗଲୀ, ମରାଠୀ, ଗୁଜରାଟୀ, ଆସାମୀ, ମାଲାୟାଲମ୍ ଏବଂ ଡିମାସା ଭଳି ବିଭିନ୍ନ ଭାଷାର ପ୍ରତିଷ୍ଠିତ ଚଳଚ୍ଚିତ୍ରଗୁଡ଼ିକର ସ୍କ୍ରିନିଂ କରାଯିବାର ବ୍ୟବସ୍ଥା ହୋଇଛି।