ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’ ଅତିକ୍ରମ କରିବା ପରେ ରାଜଧାନୀ ଭୁବନେଶ୍ୱରର ପାଣିପାଗରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ଶନିବାର ସକାଳେ ରାଜଧାନୀବାସୀ ଚଳିତ ଋତୁର ପ୍ରଥମ ଘନ କୁହୁଡ଼ିର ସାମ୍ନା କରିଛନ୍ତି। କୁହୁଡ଼ିର ଆସ୍ତରଣ ଏତେ ମୋଟା ଥିଲା ଯେ ସହରର ଅନେକ ସ୍ଥାନରେ ଦୃଶ୍ୟମାନତା ହ୍ରାସ ପାଇ ମାତ୍ର ୧୫୦ ମିଟରକୁ ଖସି ଆସିଥିଲା।

ସକାଳୁ ସକାଳୁ ସହରର ପ୍ରମୁଖ ରାସ୍ତାଘାଟ କୁହୁଡ଼ି ଚାଦରରେ ଢାଙ୍କି ହୋଇଯିବା ଫଳରେ ସାଧାରଣ ଜନଜୀବନ ବ୍ୟାହତ ହୋଇଛି।

ଦୃଶ୍ୟମାନତା କମିଯିବାରୁ ରାଜପଥ ଓ ସହରର ମୁଖ୍ୟ ରାସ୍ତାଗୁଡ଼ିକରେ ଗାଡ଼ି ଚଳାଚଳ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଚାଳକମାନେ ଲାଇଟ୍ ଜଳାଇ ଧୀର ଗତିରେ ଗାଡ଼ି ଚଳାଉଥିବା ଦେଖିବାକୁ ମିଳିଥିଲା।

ହଠାତ୍ କୁହୁଡ଼ି ଓ ତାପମାତ୍ରା ହ୍ରାସ ଯୋଗୁଁ ସକାଳେ ଭ୍ରମଣ ପାଇଁ ବାହାରୁଥିବା ଲୋକେ ଓ ନିତ୍ୟଯାତ୍ରୀ ସମସ୍ୟାର ସାମ୍ନା କରିଛନ୍ତି।

ବାତ୍ୟା ‘ଅରନବ’ ପ୍ରଭାବରେ ବର୍ଷା ପରେ ରାତିର ତାପମାତ୍ରା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ସହରରେ ସାମାନ୍ୟ ଥଣ୍ଡା ଅନୁଭୂତ ହେଉଥିବା ବେଳେ ଏହା ଆସନ୍ନ ଶୀତ ଋତୁର ଆଗମନ ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।

ପାଣିପାଗ ବିଶେଷଜ୍ଞଙ୍କ ଅନୁଯାୟୀ, ବାତ୍ୟା ଚାଲିଯିବା ପରେ ପରିବେଶରେ ଆ୍ର୍ଦ୍ରତା ଓ ରାତିର କମ୍ ତାପମାତ୍ରା ଯୋଗୁଁ ଏହି ଘନ କୁହୁଡ଼ି ସୃଷ୍ଟି ହୋଇଛି।

କୁହୁଡ଼ି ସମୟରେ ସଡ଼କ ଦୁର୍ଘଟଣା ଏଡ଼ାଇବା ପାଇଁ ପାଣିପାଗ ବିଭାଗ ଗାଡ଼ି ଚାଳକମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି। ଗାଡ଼ି ଚଳାଇବା ସମୟରେ ହେଡ୍‌ଲାଇଟ୍‌ ଓ ଫଗ୍‌ ଲାଇଟ୍‌ ର ବ୍ୟବହାର କରିବା ସହ ଅନ୍ୟ ଯାନବାହାନଠାରୁ ନିରାପଦ ଦୂରତା ବଜାୟ ରଖିବାକୁ କୁହାଯାଇଛି।