ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରସ୍ଥିତ ମାଷ୍ଟରକ୍ୟାଣ୍ଟିନ୍ ଛକରେ ଅନଲାଇନ୍ ଗାଡ଼ି ଚାଳକ ସଂଘ ଏବଂ ପୁଲିସ ମୁହାଁମୁହିଁ ଘଟଣାରେ ପୁଲିସ ଓ ପରିବହନ ବିଭାଗ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆନ୍ଦୋଳନ ସମୟରେ ବେଆଇନ ରାସ୍ତାରୋକ, ବିଶୃଙ୍ଖଳା ଏବଂ ଭଙ୍ଗାରୁଜା ଅଭିଯୋଗରେ ଗିରଫଦାରୀ ସଂଖ୍ୟା ୧୧୩କୁ ବୃଦ୍ଧି ପାଇଛି। ଏହା ସହିତ ୫୩୪ଟି ଅଟୋରିକ୍ସାକୁ ପୁଲିସ ଜବତ କରିଛି।
୧୫ରୁ ଅଧିକ ଗାଡ଼ି କ୍ଷତିଗ୍ରସ୍ତ, ୭ଟି ମାମଲା ରୁଜୁ:
ଗତକାଲିର ହିଂସାତ୍ମକ ପ୍ରତିବାଦ ସମୟରେ ‘ଆମ ବସ୍’ ଏବଂ ପୁଲିସ ଭ୍ୟାନ୍ ସମେତ ପ୍ରାୟ ୧୫ଟି ଗାଡ଼ି ଭଙ୍ଗାରୁଜା ହୋଇଥିଲା। ଏହି ଘଟଣାରେ ଖାରବେଳନଗର ଥାନାରେ ମୋଟ ୭ଟି ମାମଲା ରୁଜୁ କରାଯାଇଛି:
- ଆମ ବସ୍ କର୍ମଚାରୀ: ୪ଟି ମାମଲା
- ସାଧାରଣ ଲୋକ: ୨ଟି ମାମଲା
- ପୁଲିସ ପ୍ରଶାସନ: ୧ଟି ମାମଲା
ସିସିଟିଭି ଫୁଟେଜ୍, ପୁଲିସ ରେକର୍ଡ ଏବଂ ଜବତ ତାଲିକାର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ରାସ୍ତା ଅବରୋଧ କରିବା ପାଇଁ ୪୦୦ରୁ ଅଧିକ ଅଟୋରିକ୍ସା ବ୍ୟବହାର କରାଯାଇଥିଲା।
ରଦ୍ଦ ହେବ ଗାଡ଼ିର ପରମିଟ୍, ଆରଟିଓଙ୍କ କାରଣ ଦର୍ଶାଅ ନୋଟିସ୍:
ବିଶୃଙ୍ଖଳା ଓ ବେଆଇନ କାର୍ଯ୍ୟକଳାପରେ ସାମିଲ ଥିବା ସମସ୍ତ ଗାଡ଼ିର ରୁଟ୍ ପରମିଟ୍ ବାତିଲ କରିବା ପାଇଁ ପରିବହନ ବିଭାଗ ପ୍ରକ୍ରିୟା ଆରମ୍ଭ କରିଛି। ଭୁବନେଶ୍ୱର-୧ ଆରଟିଓ (RTO) ପକ୍ଷରୁ ସମ୍ପୃକ୍ତ ସମସ୍ତ ଗାଡ଼ି ମାଲିକ ଓ ପରମିଟ୍ ଧାରୀଙ୍କୁ ‘କାରଣ ଦର୍ଶାଅ’ ନୋଟିସ୍ ଜାରି କରାଯାଇଛି। ବ୍ୟକ୍ତିଗତ ଶୁଣାଣି ପାଇଁ ଆରଟିଓ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ଆନ୍ଦୋଳନ ଯୋଗୁଁ ଗତକାଲି ରାଜଧାନୀରେ ସାଧାରଣ ଯାତାୟାତ ଓ ବିମାନବନ୍ଦର-ରେଳଷ୍ଟେସନ ଯାଉଥିବା ଯାତ୍ରୀମାନେ ଗୁରୁତର ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବା ପାଇଁ ପୁଲିସ ପକ୍ଷରୁ କଡ଼ା ନଜର ରଖାଯାଇଛି।




