ଭୁବନେଶ୍ୱରରେ ବଢ଼ିଲା ପିଆଜ ଦର: କିଲୋ ପିଛା ୭୦ ଟଙ୍କା ଛୁଇଁଲା ମୂଲ୍ୟ, ଚିନ୍ତାରେ ଗ୍ରାହକ

ଭୁବନେଶ୍ୱର: ପରିବାର ଚଳାଇବାରେ ନାକେଦମ୍ ହେଉଥିବା ସାଧାରଣ ଖାଉଟିଙ୍କ ରୋଷେଇ ଘର ଉପରେ ପୁଣି ମାଡ଼ ହୋଇଛି। ଆଶ୍ୱାସନା ମିଳିବା ଆଶାରେ ଥିବା ଗ୍ରାହକଙ୍କୁ ନିରାଶ କରି ଓଡ଼ିଶାରେ ପିଆଜ ଦର ପୁଣି ଥରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଖୁଚୁରା ବଜାରରେ ପିଆଜ କିଲୋ ପ୍ରତି ୬୦ ଟଙ୍କାରେ ବିକ୍ରି ହେଉଥିବା ବେଳେ କେତେକ ସ୍ଥାନରେ ଏହା ୭୦ ଟଙ୍କାରେ ପହଞ୍ଚିଛି।

ପିଆଜର ଏହି ହଠାତ୍ ଦରବୃଦ୍ଧି ଗ୍ରାହକ ଓ ବ୍ୟବସାୟୀଙ୍କ ଚିନ୍ତା ବଢ଼ାଇ ଦେଇଛି। ବିଶେଷକରି ପାଇକାରୀ ଓ ଖୁଚୁରା ମୂଲ୍ୟ ମଧ୍ୟରେ ଥିବା ବଡ଼ ବ୍ୟବଧାନକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଭୁବନେଶ୍ୱରର କୁବେରପୁରୀ ପାଇକାରୀ ବଜାରରେ ପୂର୍ବରୁ କିଲୋ ପ୍ରତି ୨୦ରୁ ୨୨ ଟଙ୍କାରେ ବିକ୍ରି ହେଉଥିବା ପିଆଜ ଏବେ ୩୮ରୁ ୪୨ ଟଙ୍କାରେ ପହଞ୍ଚିଛି। ବ୍ୟବସାୟୀଙ୍କ ଅନୁମାନ ଅନୁସାରେ ଖୁଚୁରା ଦର ୫୦ ଟଙ୍କା ଭିତରେ ରହିବା କଥା। ହେଲେ ଗ୍ରାହକଙ୍କୁ ୬୦ରୁ ୭୦ ଟଙ୍କା ଦେବାକୁ ପଡ଼ୁଥିବାରୁ କେତେକ ବଜାରରେ ପାଇକାରୀ ଓ ଖୁଚୁରା ମଧ୍ୟରେ ପ୍ରାୟ ୨୮ ଟଙ୍କାର ଫରକ ଦେଖିବାକୁ ମିଳୁଛି। ବ୍ୟବସାୟୀମାନେ ଅଧିକ ଲାଭ ରଖୁଥିବାରୁ ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଖୁଚୁରା ମୂଲ୍ୟ ଉପରେ ନଜର ରଖିବାକୁ ଦାବି ହୋଇଛି।

ବଜାର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବାଙ୍ଗାଲୋରରୁ ନୂଆ ପିଆଜ ଆସିଲେ ଦର କମିବାର ସମ୍ଭାବନା ଥିଲା। କିନ୍ତୁ କର୍ଣ୍ଣାଟକର କେତେକ ଅଞ୍ଚଳରେ ବର୍ଷା ଯୋଗୁଁ ଫସଲ ନଷ୍ଟ ହୋଇଥିବାରୁ ଓଡ଼ିଶାକୁ ଶୀଘ୍ର ନୂଆ ପିଆଜ ଆସିବା ଆଶା କମ୍ ରହିଛି।

କେବଳ ଓଡ଼ିଶା ନୁହେଁ, ସାରା ଦେଶରେ ପିଆଜ ଦର ବୃଦ୍ଧି ପାଇଛି। ବଜାରରେ ଦର ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ବଫର ଷ୍ଟକରୁ ପିଆଜ ଛାଡ଼ିଛନ୍ତି। NAFED ଏବଂ NCCF ଜରିଆରେ କିଲୋ ପ୍ରତି ୩୫ ଟଙ୍କା ରିହାତି ଦରରେ ପିଆଜ ବିକ୍ରି କରାଯାଉଛି। ଦେଶର ୧୭ଟି ସହରରେ ପ୍ରାୟ ୪,୦୦୦ ଟନ୍ ପିଆଜ ବଣ୍ଟନ କରାଯାଇଥିଲେ ବି ଖାଉଟିଙ୍କୁ ଏପର୍ଯ୍ୟନ୍ତ କୌଣସି ପ୍ରତ୍ୟକ୍ଷ ସୁଫଳ ମିଳିପାରିନାହିଁ।