ଯାଜପୁର: ଯାଜପୁର ଜିଲ୍ଲା ଦଶରଥପୁରରେ ବନ୍ୟା ସ୍ଥିତି ଅନୁଧ୍ୟାନ ବେଳେ ରାଜନୈତିକ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ପରଖୁଥିବା ସମୟରେ ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ୟରେ ପ୍ରବଳ ପେଲାଠେଲା ଏବଂ ହାତାହାତି ହୋଇଛି। ଘଟଣା ପରେ ଉଭୟ ଦଳ ପକ୍ଷରୁ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବା ସହ ଥାନା ସମ୍ମୁଖରେ ଧାରଣା ଏବଂ ପାଲଟା ଅଭିଯୋଗ କରାଯାଇଛି।
ଘଟଣା ପରେ ବିଜେଡି ସମର୍ଥକମାନେ ଦଶରଥପୁର ଥାନା ସମ୍ମୁଖରେ ଧାରଣା ଦେଇଥିଲେ। ମଙ୍ଗଳପୁର ପଞ୍ଚାୟତର ଶତାଧିକ ଲୋକ ଓ ବିଜେଡି କର୍ମୀ ପ୍ରାୟ ଦୁଇ ଘଣ୍ଟା ଧରି ଥାନାରେ ବସି ରହି ବିଜେପି ବିରୋଧରେ ନାରାବାଜି କରିଥିଲେ।
ବିଜେଡି ଜିଲ୍ଲା ପରିଷଦ ସଦସ୍ୟା ମାମିନା ମଲିକ ଅଭିଯୋଗ କରିଛନ୍ତି ଯେ କିଛି ବିଜେପି କର୍ମୀ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସହ ଧକ୍କାମାରି ଅସଦାଚରଣ କରିଛନ୍ତି। ଏହି ଅଭିଯୋଗ ଆଧାରରେ ପୁଲିସ ୧୮୧/୨୬ ନମ୍ବରରେ ମାମଲା ରୁଜୁ କରିଛି, ଯେଉଁଥିରେ ଶକ୍ତି ସୌରଭ ମହାପାତ୍ର, ସତ୍ୟରଞ୍ଜନ ପାଲ, ତପନ ନନ୍ଦ, ସୁଦୀପ୍ତ ପଣ୍ଡାଙ୍କ ସମେତ ୫୦ରୁ ଉର୍ଦ୍ଧ୍ୱ ବିଜେପି କର୍ମୀଙ୍କ ନାଁ ରହିଛି।
ପୂର୍ବତନ ସରପଞ୍ଚ ଶିଶିର କୁମାର ଧଳଙ୍କ ଅଭିଯୋଗ ଅନୁଯାୟୀ, ବିଜେପି ଯୁବମୋର୍ଚ୍ଚା ସଭାପତି ପ୍ରିୟାଂଶୁ ପଣ୍ଡାଙ୍କ ସହ ୨୦ରୁ ଅଧିକ ଲୋକ ତାଙ୍କ ଉପରେ ଯୋଜନାବଦ୍ଧ ଆକ୍ରମଣ କରି ସୁନା ଚେନ୍, ଟଙ୍କା ଓ ଚଷମା ଛଡ଼ାଇ ନେଇଛନ୍ତି। ଏନେଇ ୧୮୨/୨୬ ନମ୍ବରରେ ଅନ୍ୟ ଏକ ମାମଲା ରୁଜୁ ହୋଇଛି।
ଅନ୍ୟପଟେ ବିଜେପି ଜୋନ୍ ସଭାପତି ସୁନୀଲ ରାଉତ ପାଲଟା ଅଭିଯୋଗ କରିଛନ୍ତି ଯେ, ବିଜେଡି କର୍ମୀମାନେ ବାଡ଼ି, ଖଣ୍ଡା ଓ ଭୁଜାଲି ଧରି ତାଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ କରିବା ସହ ୧୦ ହଜାର ଟଙ୍କା ଛଡ଼ାଇ ନେଇଛନ୍ତି।
ଦଶରଥପୁର ଥାନା ଆଇଆଇସି ସୁବ୍ରତ କୁମାର ସାହୁଙ୍କ ସୂଚନା ଅନୁଯାୟୀ, ଉଭୟ ପକ୍ଷର ପରସ୍ପର ବିରୋଧୀ ଅଭିଯୋଗକୁ ନେଇ ମୋଟ ୪ଟି ମାମଲା ରୁଜୁ କରାଯାଇଛି। ଘଟଣାର ବିଧିବଦ୍ଧ ତଦନ୍ତ କରାଯାଇ ନିରପେକ୍ଷ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବନ୍ୟା ସ୍ଥିତି ଅନୁଧ୍ୟାନକୁ ନେଇ ସୃଷ୍ଟି ହୋଇଥିବା ଏହି ବିବାଦ ଯୋଗୁଁ ଅଞ୍ଚଳରେ ରାଜନୈତିକ ମାହୋଲ ବେଶ୍ ଉତ୍ତପ୍ତ ରହିଛି।




