ଭୁବନେଶ୍ୱର: ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ବ୍ରଜ ମୋହନ ରାମଙ୍କୁ ନେଇ ରାଜ୍ୟରେ ଏକ ନୂତନ ରାଜନୈତିକ ବିବାଦ ଘେର ଆଶ୍ଚର୍ଯ୍ୟଜନକ ଭାବେ ଘନୀଭୂତ ହୋଇଛି।ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ତାଙ୍କର ଏକ ମତାମତକୁ ନେଇ ବିରୋଧୀ ବିଜୁ ଜନତା ଦଳ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି।ସେ ଦଳୀୟ କାର୍ଯ୍ୟକର୍ତ୍ତା ଭାବେ ବିଜେପିକୁ ମଜବୁତ କରିବା ଦିଗରେ କାମ କରିବେ ବୋଲି କହିଥିବା ପ୍ରସଙ୍ଗକୁ ବିଜେଡି ସମ୍ବିଧାନର ମର୍ଯ୍ୟାଦା ବିରୋଧୀ ବୋଲି ଅଭିହିତ କରିଛି।
ଏକ ପ୍ରମୁଖ ଗଣମାଧ୍ୟମ ଏଜେନ୍ସି ଦ୍ୱାରା ପ୍ରସାରିତ ଭିଡିଓ କ୍ଲିପ୍ ଆଧାରରେ ବିଜେଡି ପକ୍ଷରୁ ଏକ କଡ଼ା ବିବୃତି ଜାରି କରାଯାଇଛି, ଯେଉଁଥିରେ ନବନିଯୁକ୍ତ ରାଜ୍ୟପାଳ ନିଜର ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ମତ ରଖୁଥିବା ଦେଖିବାକୁ ମିଳିଛି।
ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଛି ଯେ, ଗଣମାଧ୍ୟମରେ ପ୍ରସାରିତ ଭିଡିଓରେ ରାଜ୍ୟପାଳ କହୁଛନ୍ତି ଯେ ସେ ବିଜେପିକୁ ସୁଦୃଢ଼ କରିବା ପାଇଁ କାମ କରିବେ।ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଏବଂ ନିନ୍ଦନୀୟ।ଦଳ କହିଛି ଯେ ଏହିଭଳି ମନ୍ତବ୍ୟ ସେହି ସର୍ବମାନ୍ୟ ସାମ୍ବିଧାନିକ ସତ୍ୟକୁ କ୍ଷୁଣ୍ଣ କରୁଛି, ଯାହା ଅନୁଯାୟୀ ରାଜ୍ୟପାଳଙ୍କ ପଦବୀଟି ସମ୍ପୂର୍ଣ୍ଣରୁ ଦଳୀୟ ରାଜନୀତିର ଉର୍ଦ୍ଧ୍ୱରେ ରହିବା କଥା।
ବିଜେଡିର ଗଣମାଧ୍ୟମ ସଂଯୋଜକ ଲେନିନ୍ ମହାନ୍ତି ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଜଣେ ସାମ୍ବିଧାନିକ ମୁଖ୍ୟ ଭାବେ ଏପରି ମନ୍ତବ୍ୟ ଦେବା ସମ୍ବିଧାନର ମୌଳିକ ଭାବନା ପରିପନ୍ଥୀ।ରାଜ୍ୟପାଳ ସର୍ବଦା ନିରପେକ୍ଷ ରହି ସମ୍ବିଧାନର ରକ୍ଷା କରିବା ଉଚିତ୍, କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସମ୍ପ୍ରସାରଣ ପାଇଁ ନୁହେଁ।
ଉଲ୍ଲେଖଯୋଗ୍ୟ ଯେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଝାରଖଣ୍ଡର ତିନି ଥରର ପୂର୍ବତନ ବିଜେପି ସାଂସଦ ବ୍ରଜ ମୋହନ ରାମଙ୍କୁ ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି।ସେ ବର୍ତ୍ତମାନର ରାଜ୍ୟପାଳ ଡ଼ଃ ହରିବାବୁ କମ୍ଭମପତିଙ୍କ ସ୍ଥାନ ନେବେ।ତେବେ ପଦଭାର ଗ୍ରହଣ କରିବା ପୂର୍ବରୁ ଏହି ବିବାଦୀୟ ବୟାନ ଓଡ଼ିଶା ରାଜନୀତିରେ ନୂତନ ଉଷ୍ମତା ସୃଷ୍ଟି କରିଛି।




