ଭୁବନେଶ୍ୱର: ପୂର୍ବତନ ପ୍ରଶାସିକା ତଥା ବରିଷ୍ଠ ବିଜେଡି ନେତ୍ରୀ ସୁଜାତା ରୁଟ୍ କାର୍ତ୍ତିକେୟନଙ୍କ ନାମରେ ଏଆଇ (AI) ପ୍ରଯୁକ୍ତିବିଦ୍ୟା, ଡିପ୍‌ଫେକ୍ ଏବଂ ଭଏସ୍ କ୍ଲୋନିଂ ମାଧ୍ୟମରେ ପ୍ରସ୍ତୁତ ବିକୃତ ଭିଡିଓ ଭାଇରାଲ୍ କରିବା ଅଭିଯୋଗରେ ରବିବାର ବିଜୁ ଜନତା ଦଳ ପକ୍ଷରୁ ପୋଲିସ ନିକଟରେ ଅଭିଯୋଗ କରାଯାଇଛି। ସାମାଜିକ ଗଣମାଧ୍ୟମ ଆକାଉଣ୍ଟ ମାଧ୍ୟମରେ ନେତ୍ରୀଙ୍କ ସୁନାମ ହାନି କରିବା ସହ ଜନସାଧାରଣଙ୍କୁ ଭ୍ରମିତ କରାଯାଉଥିବା ଦର୍ଶାଇ ଦଳ ପକ୍ଷରୁ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

ବିଜେଡି ନେତ୍ରୀ ଅମୃତା ମିଶ୍ର ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ଥାନାରେ ‘ଓଡ଼ିଆଙ୍କ ଛାତ’ ନାମକ ଇନ୍‌ଷ୍ଟାଗ୍ରାମ୍ ଓ ଫେସବୁକ୍ ଆକାଉଣ୍ଟର ଅଜ୍ଞାତ ପରିଚାଳକଙ୍କ ବିରୋଧରେ ଏହି ଅଭିଯୋଗ ଦାଖଲ କରିଛନ୍ତି।

ଏଫ୍‌ଆଇଆର୍ ଅନୁଯାୟୀ, ଅକ୍ଟୋବର ୧୮ ତାରିଖରେ ଅପ୍‌ଲୋଡ୍ କରାଯାଇଥିବା ଏକ ଭିଡିଓରେ ସୁଜାତା କାର୍ତ୍ତିକେୟନ କେନ୍ଦ୍ରାପଡ଼ା ସ୍ୱୟଂଶାସିତ କଲେଜର ଅଧ୍ୟକ୍ଷଙ୍କୁ ଛାତ୍ର ସଂସଦ ନିର୍ବାଚନ ପ୍ରସଙ୍ଗରେ ଧମକ ଦେଉଥିବା ଦେଖାଯାଇଛି। ତେବେ ଏହା ସମ୍ପୂର୍ଣ୍ଣ କୃତ୍ରିମ (AI-generated) ଏବଂ ମିଥ୍ୟା ଅଟେ। କେନ୍ଦ୍ରାପଡ଼ା ଜିଲ୍ଲାର ଅଧିକାଂଶ କଲେଜରେ ବିଜେଡି ସମର୍ଥିତ ପ୍ରାର୍ଥୀ ବିଜୟୀ ହୋଇଥିବାରୁ ରାଜନୈତିକ ଆକ୍ରୋଶ ରଖି ଏହି କୁତ୍ସାରଟନା କରାଯାଇଛି ବୋଲି ଅଭିଯୋଗ ହୋଇଛି।

ସୋସିଆଲ ମିଡିଆରୁ ଏହି ଆପତ୍ତିଜନକ ଭିଡିଓକୁ ତୁରନ୍ତ ହଟାଇବା, ଡିଜିଟାଲ୍ ପ୍ରମାଣ ସଂରକ୍ଷଣ କରିବା ଏବଂ ଫୋରେନ୍ସିକ୍ ଯାଞ୍ଚ କରିବା ପାଇଁ ବିଜେଡି ଦାବି କରିଛି। ଏଥିସହ ଫେସବୁକ୍ ଓ ଇନ୍‌ଷ୍ଟାଗ୍ରାମ୍‌ର ମାଲିକାନା ସଂସ୍ଥା ‘ମେଟା’ (Meta) ନିକଟରୁ ଆକାଉଣ୍ଟ ଚଲାଉଥିବା ବ୍ୟକ୍ତିଙ୍କ ବିବରଣୀ ସଂଗ୍ରହ କରିବାକୁ ପୋଲିସକୁ ଅନୁରୋଧ କରାଯାଇଛି। ଅକ୍ଟୋବର ୧୫ ରେ ଅନୁଷ୍ଠିତ ଛାତ୍ର ସଂସଦ ନିର୍ବାଚନ ପରେ ରାଜ୍ୟରେ ରାଜନୈତିକ ସରଗରମ ବୃଦ୍ଧି ପାଇଥିବା ବେଳେ ଏହି ଏଆଇ ଅପବ୍ୟବହାର ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।