ଭୁବନେଶ୍ୱର: ଦଳ ବିରୋଧୀ କାର୍ଯ୍ୟରେ ସମ୍ପୃକ୍ତ ଥିବା ୮ ଜଣ ନିଲମ୍ବିତ ବିଧାୟକଙ୍କ ସଭ୍ୟପଦ ରଦ୍ଦ କରିବା ପାଇଁ ଆଜି ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ବାଚସ୍ପତିଙ୍କ ନିକଟରେ ପିଟିସନ ଦାଖଲ କରାଯାଇଛି। ବିଜେଡି ବିଧାୟକମାନେ ବିଧାନସଭା ପରିସରରେ ବାଚସ୍ପତିଙ୍କୁ ଭେଟି ଏହି ଆବେଦନ କରିଛନ୍ତି।ଏହି ପ୍ରସଙ୍ଗରେ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ଯେ, ସମ୍ବିଧାନର ଅନୁଚ୍ଛେଦ ୧୯୧ ଅନୁସାରେ ଏହି ବିଧାୟକମାନଙ୍କର ସଭ୍ୟପଦ ରଦ୍ଦ ହେବା ଉଚିତ।

ଗତ ରାଜ୍ୟସଭା ନିର୍ବାଚନ ସମୟରେ ବିଜେଡିର ୬ ଜଣ ବିଧାୟକ ଦଳୀୟ ହୁଇପ୍ ଉଲ୍ଲଂଘନ କରିଥିଲେ। ହୁଇପ୍ ଅମାନ୍ୟ କରିବା ପରେ ଦଳ ପକ୍ଷରୁ ସେମାନଙ୍କୁ ‘କାରଣ ଦର୍ଶାଅ’ ନୋଟିସ ଜାରି କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ସେମାନଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା।

ଯେଉଁ ବିଧାୟକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି, ସେମାନେ ହେଲେ – ଚକ୍ରମଣି କହଁର, ନବ କିଶୋର ମଲ୍ଲିକ, ସୌଭିକ ବିଶ୍ୱାଳ, ସୁବାସିନୀ ଜେନା, ରମାକାନ୍ତ ଭୋଇ ଏବଂ ଦେବୀ ରଞ୍ଜନ ତ୍ରିପାଠୀ। ଏହି ସମସ୍ତ ବିଧାୟକ ଦଳୀୟ ନିଷ୍ପତ୍ତି ବିରୋଧରେ ଯାଇ ଭୋଟ୍ ଦେଇଥିଲେ।ଏମାନଙ୍କ ବ୍ୟତୀତ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଏବଂ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ମଧ୍ୟ ଦଳ ପୂର୍ବରୁ ନିଲମ୍ବିତ କରିସାରିଛି।