ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ସ୍ଥିତି ଅତ୍ୟନ୍ତ ଉତ୍ତପ୍ତ ହୋଇପଡ଼ିଛି। ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଟେକା ମାଡ଼ ଓ ଭଙ୍ଗାରୁଜା ଘଟଣାକୁ ନେଇ ବିଜେଡି ଏସପି ଅଫିସ ଆଗରେ ଧାରଣାରେ ବସିଥିବା ବେଳେ, ବିଜେପି କର୍ମୀମାନେ ଜେନାପୁର ଥାନା ଆଗରେ ପ୍ରତିବାଦ ସଭା କରିଛନ୍ତି।

ବିଜେଡିର ପଦଯାତ୍ରା କାର୍ଯ୍ୟକ୍ରମ ସମୟରେ ପ୍ରଣବ ବଳବନ୍ତରାୟ ଜେନାପୁର ଅଞ୍ଚଳରେ କର୍ମୀ ସମାବେଶ କରୁଥିଲେ। ଏହି ସମୟରେ କିଛି ଲୋକ ଅଚାନକ ଆସି ହଙ୍ଗାମା କରିବା ସହ ପ୍ରଣବଙ୍କ ଗାଡ଼ି ଉପରକୁ ପାନଛେପ ଓ ଟେକା ମାଡ଼ କରି ଗାଡ଼ି ଭାଙ୍ଗିଥିଲେ। ପୋଲିସ ଉପସ୍ଥିତିରେ ଏହି ଆକ୍ରମଣ ହୋଇଥିବା ବିଜେଡି ଅଭିଯୋଗ କରିଛି।

ଏହି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ନେଇ ବିଜେଡି ନେତାମାନେ ଜାଜପୁର ଏସପିଙ୍କୁ ଭେଟିଥିଲେ। ମାତ୍ର ଆଲୋଚନା ବିଫଳ ହେବାରୁ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ, ପ୍ରଣବ ପ୍ରକାଶ ଦାସ, ପ୍ରୀତିରଞ୍ଜନ ଘଡ଼ାଇ, ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ, ପ୍ରମିଳା ମଲ୍ଲିକ, ସୁଜାତା ସାହୁ ଏବଂ ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ ପ୍ରମୁଖ ଏସପି ଅଫିସ ଆଗରେ ଧାରଣାରେ ବସିଛନ୍ତି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ସୋସିଆଲ ମିଡିଆରେ ଏହି ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି।

ଅନ୍ୟପଟେ, ବିଜେପି କର୍ମୀମାନେ ଜେନାପୁର ଥାନା ଆଗରେ ଏକାଠି ହୋଇ ପ୍ରଣବ ବଳବନ୍ତରାୟଙ୍କ ବିରୋଧରେ ନାରାବାଜି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଆୟୋଜିତ ‘ସେବା ସଂକଳ୍ପ ସମାବେଶ’ ପାଇଁ ବିଜେପି କର୍ମୀମାନେ ଏକାଠି ହୋଇଥିବା ବେଳେ ପ୍ରଣବ ଓ ତାଙ୍କ ସମର୍ଥକମାନେ ଆସି ଗଣ୍ଡଗୋଳ ଭିଆଇଥିବା ବିଜେପି ଅଭିଯୋଗ କରିଛି। ଏନେଇ ବିଜେପି ତରଫରୁ ଜେନାପୁର ଥାନାରେ ଏକ ଏତଲା ଦିଆଯାଇଛି।

ଉଭୟ ଦଳର ମୁହାଁମୁହିଁ ସ୍ଥିତି ଯୋଗୁଁ ଧର୍ମଶାଳା ଅଞ୍ଚଳରେ ଚାପା ଉତ୍ତେଜନା ବିରାଜମାନ କରିଛି।