କଟକ: କଟକର ଐତିହାସିକ ଇଣ୍ଡୋର ଷ୍ଟାଡିୟମଠାରେ ଚାଲିଥିବା ଭାରତୀୟ ଜନତା ପାର୍ଟି (ବିଜେପି) ଓଡ଼ିଶା ଶାଖାର ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ଆଜି ଅନ୍ତିମ ତଥା ଦ୍ବିତୀୟ ଦିନ। ରାଜ୍ୟର ପରିବର୍ତ୍ତିତ ରାଜନୈତିକ ପରିସ୍ଥିତି, ସଂଗଠନର ସୁଦୃଢ଼ୀକରଣ ଏବଂ ଆଗାମୀ କାର୍ଯ୍ୟପନ୍ଥାକୁ ନେଇ ଆଜିର ବୈଠକରେ ବ୍ୟାପକ ଆଲୋଚନା ଓ ମନ୍ଥନ ଜାରି ରହିଛି।
ଆଜି ପ୍ରଥମ ଅଧିବେଶନରେ ରାଜ୍ୟର ସମସ୍ତ ଜିଲ୍ଲାର ସଭାପତି ଓ ପ୍ରଭାରୀମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହେଉଛି। ଏହି ବୈଠକରେ ପ୍ରତ୍ୟେକ ଜିଲ୍ଲାର ସାଂଗଠନିକ ସ୍ଥିତି, ଗ୍ରାଉଣ୍ଡ ଜିରୋରେ ପାର୍ଟିର ସକ୍ରିୟତା, ସଦସ୍ୟତା ଅଭିଯାନ ଏବଂ ସରକାରୀ ଯୋଜନାର ପହଞ୍ଚ ସମ୍ପର୍କିତ ‘ରିପୋର୍ଟ କାର୍ଡ’ ମଗାଯାଇଛି। କେଉଁ ଜିଲ୍ଲାରେ ସଂଗଠନ କେତେ ସୁଦୃଢ଼ ଅଛି ଏବଂ କେଉଁଠି ଦୁର୍ବଳତା ରହିଛି, ତାହାର ସୂକ୍ଷ୍ମ ଆକଳନ କରାଯାଉଛି।
ପରବର୍ତ୍ତୀ ଅଧିବେଶନରେ ରାଜ୍ୟର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିକୁ ନେଇ ଆଲୋଚନା କରାଯିବ। ବିଜେପି ଏକ ବୃହତ୍ ଜାତୀୟ ଦଳ ହୋଇଥିବାରୁ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ପ୍ରସଙ୍ଗ, ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନାର ସଫଳ ରୂପାୟନ ଏବଂ ଜନସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗଗୁଡ଼ିକୁ ନେଇ ରାଜନୈତିକ ପ୍ରସ୍ତାବ ଆଗତ କରାଯିବ। ସଦସ୍ୟଙ୍କ ମତାମତ ଓ ଆଲୋଚନା ପରେ ଏହି ପ୍ରସ୍ତାବଗୁଡ଼ିକୁ ଗୃହୀତ କରାଯିବାର କାର୍ଯ୍ୟକ୍ରମ ରହିଛି।
ବୈଠକର ଶେଷ ତଥା ଉଦ୍ଯାପନୀ ଅଧିବେଶନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ଏହି ଶେଷ ଅଧିବେଶନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିଜେପି ରାଜ୍ୟ ସଭାପତି ନିଜର ଦିଗ୍ଦର୍ଶନମୂଳକ ଅଭିଭାଷଣ ରଖିବେ। ତୃଣମୂଳ ସ୍ତରରେ ସଂଗଠନକୁ ଆହୁରି ମଜବୁତ୍ କରିବା ଏବଂ ସରକାର ଓ ଦଳ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ପାଇଁ ସେମାନେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ମନ୍ତ୍ର ଦେବେ। ଏହି ସମାରୋହରେ ରାଜ୍ୟର ଅନେକ ବରିଷ୍ଠ ନେତା, ମନ୍ତ୍ରୀ, ସାଂସଦ, ବିଧାୟକ ଓ କାର୍ଯ୍ୟକାରିଣୀ ସଦସ୍ୟମାନେ ଉପସ୍ଥିତ ଅଛନ୍ତି।




