ଭୁବନେଶ୍ୱର: ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ସିଟି ଇକୋନୋମିକ୍ ରିଜିଅନ୍ (BKPPER) ବିକାଶ ପ୍ରକଳ୍ପ ପାଇଁ ପ୍ରସ୍ତୁତ ପ୍ରକଳ୍ପ ପ୍ରସ୍ତାବ ରିପୋର୍ଟ (PPR)କୁ ସୋମବାର ରାଜ୍ୟସ୍ତରୀୟ ପ୍ରକଳ୍ପ ମନିଟରିଂ କମିଟି (SLPMC) ଅନୁମୋଦନ କରିଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବାହ୍ୟ ସହାୟତାପ୍ରାପ୍ତ ପ୍ରକଳ୍ପ (EAP) ଅଧୀନରେ ଏହି ମହତ୍ୱାକାଙ୍କ୍ଷୀ ଯୋଜନାକୁ ଆଗକୁ ନେବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା।
କେନ୍ଦ୍ର ସରକାରଙ୍କ ସିଟି ଇକୋନୋମିକ୍ ରିଜିଅନ୍ (CER) ଯୋଜନାର ପ୍ରଥମ ପର୍ଯ୍ୟାୟରେ ଦେଶର ଚାରିଟି ପାଇଲଟ୍ ଅର୍ଥନୈତିକ ଅଞ୍ଚଳ ମଧ୍ୟରେ BKPPERକୁ ସ୍ଥାନ ମିଳିଛି। ଏହି ପ୍ରକଳ୍ପ ପାଇଁ ପ୍ରାରମ୍ଭିକ ଭାବେ ୫,୦୦୦ କୋଟି ଟଙ୍କାର ସହାୟତା ପ୍ରସ୍ତାବିତ ହୋଇଛି। ଏଥିରୁ ୩,୫୦୦ କୋଟି ଟଙ୍କା ଏସୀୟ ବିକାଶ ବ୍ୟାଙ୍କ (ADB) ଋଣ ମାଧ୍ୟମରେ ଏବଂ ଅବଶିଷ୍ଟ ୧,୫୦୦ କୋଟି ଟଙ୍କା କେନ୍ଦ୍ର ସରକାରଙ୍କ CER ଯୋଜନା ଅଧୀନରେ ମିଳିବ।
ଏହି ପ୍ରକଳ୍ପର ଲକ୍ଷ୍ୟ ହେଉଛି ଭୁବନେଶ୍ୱର, କଟକ, ପୁରୀ ଓ ପାରାଦୀପକୁ ଏକ ସମନ୍ୱିତ ଅର୍ଥନୈତିକ ଅଞ୍ଚଳରେ ପରିଣତ କରି ବିନିଯୋଗ, ଶିଳ୍ପ, ପର୍ଯ୍ୟଟନ, ଲଜିଷ୍ଟିକ୍ସ, ବନ୍ଦରଭିତ୍ତିକ ଶିଳ୍ପ, ଜ୍ଞାନଭିତ୍ତିକ ଅର୍ଥନୀତି ଏବଂ ବ୍ୟାପକ ନିଯୁକ୍ତି ସୃଷ୍ଟିକୁ ତ୍ୱରାନ୍ୱିତ କରିବା। ଏହା ଓଡ଼ିଶା ଭିଜନ–୨୦୩୬ ଓ ଭିଜନ–୨୦୪୭ ଲକ୍ଷ୍ୟ ପୂରଣରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି।
ପ୍ରସ୍ତାବିତ BKPPER ଅଞ୍ଚଳରେ ଖୋର୍ଦ୍ଧା, କଟକ, ପୁରୀ ଓ ଜଗତସିଂହପୁର ଜିଲ୍ଲାର ୧୯ଟି ସହରାଞ୍ଚଳ ସ୍ଥାନୀୟ ନିକାୟ (ULB) ସାମିଲ ହୋଇଛି।
ପ୍ରକଳ୍ପ ଅଧୀନରେ ସମନ୍ୱିତ ଆଞ୍ଚଳିକ ପରିବହନ ବ୍ୟବସ୍ଥା, ସ୍ମାର୍ଟ ଓ ଜଳବାୟୁ ଅନୁକୂଳ ସହରୀ ଭିତ୍ତିଭୂମି, ସାଧାରଣ ପରିବହନର ବିସ୍ତାର, ମଲ୍ଟିମୋଡାଲ ହବ୍, କର୍ମଜୀବୀଙ୍କ ପାଇଁ ଆବାସ, ଭୁବନେଶ୍ୱର ନୂତନ ସହର ବିକାଶ, ସହର ପୁନର୍ବିକାଶ, ନଦୀତଟ ଓ ଜଳାଶୟ ବିକାଶ, ବନ୍ଦରଭିତ୍ତିକ ଶିଳ୍ପ ଏବଂ ଜ୍ଞାନ ଓ ସ୍ୱାସ୍ଥ୍ୟ ହବ୍ ପରି ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସାମିଲ ରହିଛି।
SLPMCର ମଞ୍ଜୁରି ପରେ ପ୍ରକଳ୍ପ ପ୍ରସ୍ତାବକୁ ଅର୍ଥ ମନ୍ତ୍ରଣାଳୟର ଡିପାର୍ଟମେଣ୍ଟ ଅଫ୍ ଇକୋନୋମିକ୍ ଆଫେୟାର୍ସ (DEA) ପୋର୍ଟାଲରେ ଅପଲୋଡ୍ କରାଯାଇ ପରବର୍ତ୍ତୀ ମୂଲ୍ୟାଙ୍କନ ଓ ଅନ୍ତିମ ଅନୁମୋଦନ ପ୍ରକ୍ରିୟା ଆରମ୍ଭ କରାଯିବ।
ବୈଠକରେ ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂହ, ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଊଷା ପାଢ଼ୀ, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ର, ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।




