ନୂଆଦିଲ୍ଲୀ: କାବେରୀ ଜଳ ବଣ୍ଟନକୁ ନେଇ ପୁଣିଥରେ ତାମିଲନାଡୁ ଓ କର୍ଣ୍ଣାଟକ ମଧ୍ୟରେ ବିବାଦ ତୀବ୍ର ହୋଇଛି। କାବେରୀ ଜଳ ପରିଚାଳନା କର୍ତ୍ତୃପକ୍ଷ (CWMA) ଏବଂ କାବେରୀ ଜଳ ନିୟନ୍ତ୍ରଣ କମିଟି (CWRC)ଙ୍କ ନିର୍ଦ୍ଦେଶ ପାଳନ କରିବାରେ କର୍ଣ୍ଣାଟକ ସରକାର ବିଫଳ ହୋଇଥିବା ଅଭିଯୋଗ କରି ତାମିଲନାଡୁ ସରକାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।
ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ନିର୍ଦ୍ଦେଶକ୍ରମେ ସୋମବାର ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରାଯାଇଛି। ଆବେଦନରେ କୁହାଯାଇଛି ଯେ, କର୍ତ୍ତୃପକ୍ଷଙ୍କ ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ କର୍ଣ୍ଣାଟକ ଆବଶ୍ୟକ ପରିମାଣର କାବେରୀ ଜଳ ଛାଡ଼ୁନାହିଁ, ଯାହାର ପ୍ରଭାବ ତାମିଲନାଡୁର କୃଷି ଉପରେ ପଡ଼ୁଛି।
ଗତ ଜୁଲାଇ ୨୮ରେ ଅନୁଷ୍ଠିତ CWRCର ୧୩୯ତମ ବୈଠକରେ କୃଷ୍ଣରାଜ ସାଗର (KRS) ଓ କାବିନୀ ଜଳଭଣ୍ଡାରରୁ ଜୁଲାଇ ୨୯ରୁ ଅଗଷ୍ଟ ୧୨ ପର୍ଯ୍ୟନ୍ତ ୧୫ ଦିନ ଧରି ବିଲିଗୁଣ୍ଡଲୁରେ ପ୍ରତି ସେକେଣ୍ଡରେ ୩,୫୦୦ କ୍ୟୁସେକ୍ ଜଳ ଛାଡ଼ିବାକୁ କର୍ଣ୍ଣାଟକକୁ ନିର୍ଦ୍ଦେଶ ଦିଆଯାଇଥିଲା। ପରେ ଜୁଲାଇ ୩୦ରେ CWMAର ୫୪ତମ ଜରୁରୀ ବୈଠକରେ ମଧ୍ୟ ଏହି ନିଷ୍ପତ୍ତିକୁ ବଜାୟ ରଖାଯାଇଥିଲା।
ତେବେ ତାମିଲନାଡୁ ସରକାରଙ୍କ ଅଭିଯୋଗ ଅନୁସାରେ, ଜୁଲାଇ ୨୯ରୁ ଅଗଷ୍ଟ ୨ ପର୍ଯ୍ୟନ୍ତ ନିର୍ଦ୍ଦେଶିତ ୩,୫୦୦ କ୍ୟୁସେକ୍ ପରିବର୍ତ୍ତେ କର୍ଣ୍ଣାଟକ ମାତ୍ର ୧୫୮ରୁ ୫୫୦ କ୍ୟୁସେକ୍ ପର୍ଯ୍ୟନ୍ତ ଜଳ ଛାଡ଼ିଥିଲା। ଏହା କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶର ସ୍ପଷ୍ଟ ଉଲ୍ଲଂଘନ ବୋଲି ତାମିଲନାଡୁ ଦାବି କରିଛି।
ଏହି ପରିସ୍ଥିତିରେ କାବେରୀ ଜଳ ବଣ୍ଟନ ସମ୍ପର୍କିତ ନିର୍ଦ୍ଦେଶ କଡ଼ାକଡ଼ି ଭାବେ ପାଳନ କରାଇବା ଏବଂ କର୍ଣ୍ଣାଟକକୁ ଆବଶ୍ୟକ ପରିମାଣର ଜଳ ଛାଡ଼ିବାକୁ ନିର୍ଦ୍ଦେଶ ଦେବା ପାଇଁ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ତାମିଲନାଡୁ ସରକାର।




