ଭୁବନେଶ୍ୱର: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ର ବିଡିଓ (BDO) ସାମି ରେଡ୍ଡୀ ଜୟଶ୍ରୀ (OAS-A(JB)) ଙ୍କୁ ତୁରନ୍ତ ପ୍ରଭାବରୁ ଚାକିରିରୁ ନିଲମ୍ବିତ କରାଯାଇଛି। ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏହି ନିଲମ୍ବନ ଆଦେଶ ଜାରି କରାଯାଇଛି।
ବିଭାଗ ଦ୍ୱାରା ପ୍ରକାଶିତ ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଉକ୍ତ ଅଧିକାରୀଙ୍କ ବିରୋଧରେ ଏକ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ନିଲମ୍ବନ ସମୟ ମଧ୍ୟରେ ତାଙ୍କର ମୁଖ୍ୟାଳୟ ସମ୍ବଲପୁରସ୍ଥିତ ରାଜସ୍ୱ ଆୟୁକ୍ତ (ଉତ୍ତର ସଂଭାଗ) କାର୍ଯ୍ୟାଳୟରେ ଧାର୍ଯ୍ୟ କରାଯାଇଛି।
ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ, ସମ୍ବଲପୁର ଆରଡିସିଙ୍କ ପୂର୍ବାନୁମତି ବିନା ସେ ମୁଖ୍ୟାଳୟ ଛାଡ଼ି କୁଆଡ଼େ ଯାଇପାରିବେ ନାହିଁ। ନିଲମ୍ବନ କାଳରେ ଓଡ଼ିଶା ସର୍ଭିସ୍ କୋଡ୍ର ରୁଲ୍-୯୦ (Rule-90) ଅନୁଯାୟୀ ସେ ନିୟମିତ ଖୋରାକି ଭତ୍ତା ପାଇବାକୁ ହକ୍ଦାର ହେବେ।
ଏହା ସହିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବୌଦ୍ଧ ଜିଲ୍ଲାପାଳଙ୍କୁ ବିଶେଷ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାପାଳ ନିଜେ ଉକ୍ତ ଅଧିକାରୀଙ୍କୁ ଏହି ନିଲମ୍ବନ ଆଦେଶ ପତ୍ର ପ୍ରଦାନ କରିବେ ଏବଂ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ଚିଠା ଓ ପ୍ରମାଣପତ୍ରର ମେମୋ ସରକାରଙ୍କୁ ହସ୍ତାନ୍ତର କରିବେ।
ରାଜ୍ୟ ପ୍ରଶାସନରେ ସ୍ୱଚ୍ଛତା ଓ ନିୟମାନୁବର୍ତ୍ତିତା ବଜାୟ ରଖିବା ପାଇଁ ସରକାରଙ୍କ ପକ୍ଷରୁ ଏହି ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।




