ସମସ୍ତ ରାଜ୍ୟକୁ BPR&D ର ୬୫ ପୃଷ୍ଠାର ଗାଇଡ୍‌ଲାଇନ୍, ଜିରୋ ଏଫ୍‌ଆଇଆର୍‌ ଓ AI ବ୍ୟବହାର ଉପରେ ଜୋର

ନୂଆଦିଲ୍ଲୀ: ମହିଳା ଓ ଶିଶୁଙ୍କ ବିରୋଧରେ ବଢ଼ୁଥିବା ଅପରାଧ, ସାଇବର ଉତ୍ପୀଡ଼ନ, ମାନବ ଚାଲାଣ, ଅନ୍‌ଲାଇନ୍ ଯୌନ ଶୋଷଣ ଏବଂ ନିଖୋଜ ଶିଶୁ ମାମଲାର ଅଧିକ ପ୍ରଭାବୀ ମୁକାବିଲା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଅଧୀନସ୍ଥ ବ୍ୟୁରୋ ଅଫ୍ ପୁଲିସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ (BPR&D) ପକ୍ଷରୁ ଏକ ବ୍ୟାପକ ମାର୍ଗଦର୍ଶିକା ଜାରି କରାଯାଇଛି। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଡିଜିପିମାନଙ୍କୁ ଏହି ୬୫ ପୃଷ୍ଠାର ‘ମହିଳା ଓ ଶିଶୁ ସୁରକ୍ଷା ମାର୍ଗଦର୍ଶିକା’ ପଠାଯାଇଛି। ନୂତନ ଫୌଜଦାରୀ ଆଇନ (BNS, BNSS, BSA) ଏବଂ ବଢ଼ୁଥିବା ସାଇବର ଅପରାଧକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟପନ୍ଥା ପ୍ରସ୍ତୁତ କରାଯାଇଛି।

ଜିରୋ ଏଫ୍‌ଆଇଆର୍‌ ଓ ସମୟବଦ୍ଧ ତଦନ୍ତ

ମାର୍ଗଦର୍ଶିକାରେ ପ୍ରତ୍ୟେକ ମହିଳା ଓ ଶିଶୁ ସମ୍ପର୍କିତ ଅଭିଯୋଗରେ ତୁରନ୍ତ ଜିରୋ ଏଫ୍‌ଆଇଆର୍‌ (Zero FIR) ଏବଂ ଇ-ଏଫ୍‌ଆଇଆର୍‌ (e-FIR) ରୁଜୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯୌନ ନିର୍ଯାତନା ମାମଲାରେ ଫରେନ୍ସିକ୍ ପ୍ରମାଣ ସଂଗ୍ରହ, ପୀଡ଼ିତାଙ୍କ ବୟାନର ଭିଡିଓ ରେକର୍ଡିଂ, ନିଶୁଳ୍କ ଚିକିତ୍ସା, କ୍ଷତିପୂରଣ ଏବଂ ସମୟସୀମା ମଧ୍ୟରେ ଚାର୍ଜସିଟ୍ ଦାଖଲ ଉପରେ କଡ଼ା ଗୁରୁତ୍ୱ ଦିଆଯାଇଛି।

ଜରୁରୀକାଳୀନ ହେଲ୍ପଲାଇନ୍ ଓ କାର୍ଯ୍ୟସ୍ଥଳୀ ସୁରକ୍ଷା

ମହିଳାଙ୍କ ସୁରକ୍ଷା ପାଇଁ ୧୧୨, ୧୮୧, ୧୦୯୧ ଏବଂ ୧୯୩୦ (ସାଇବର) ହେଲ୍ପଲାଇନ୍ ସହ ୱାନ୍-ଷ୍ଟପ୍ ସେଣ୍ଟର ଓ ଫାଷ୍ଟ ଟ୍ରାକ୍ କୋର୍ଟର ସମୁଚିତ ବ୍ୟବହାର କରିବାକୁ କୁହାଯାଇଛି। କାର୍ଯ୍ୟସ୍ଥଳୀରେ ଯୌନ ଉତ୍ପୀଡ଼ନ ରୋକିବା ପାଇଁ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ICC) କୁ ସକ୍ରିୟ କରିବା ଏବଂ ରାତ୍ରିକାଳୀନ ଡ୍ୟୁଟି କରୁଥିବା ମହିଳା କର୍ମଚାରୀଙ୍କ ପାଇଁ ସୁରକ୍ଷିତ ପରିବହନ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ କୁହାଯାଇଛି।

ଶିଶୁ ସୁରକ୍ଷା ଓ ସାଇବର ଅପରାଧ ରୋକିବାକୁ ପ୍ରଯୁକ୍ତି

ନିଖୋଜ ଶିଶୁ ମାମଲାକୁ ଅପହରଣ କିମ୍ବା ମାନବ ଚାଲାଣ ଆଶଙ୍କାରେ ତୁରନ୍ତ ତଦନ୍ତ କରିବା ଏବଂ ଚାଇଲ୍ଡ ୱେଲଫେୟାର ପୁଲିସ ଅଫିସର (CWPO) ଙ୍କ ଭୂମିକାକୁ ସୁଦୃଢ଼ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଡିପ୍‌ଫେକ୍‌, ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଓ ସାଇବର ଷ୍ଟକିଂ ରୋକିବା ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI), CCTNS, ICJS, ଇ-ଫରେନ୍ସିକ୍ସ ଏବଂ ନ୍ୟାସନାଲ୍ ଡାଟାବେସ୍‌ ଅଫ୍ ସେକ୍ସୁଆଲ୍ ଅଫେଣ୍ଡର୍ସ (NDSO) ଭଳି ଡିଜିଟାଲ୍ ସିଷ୍ଟମର ବ୍ୟବହାର ବୃଦ୍ଧି କରିବାକୁ BPR&D ପରାମର୍ଶ ଦେଇଛି।