ରାଉରକେଲା: ପରୀକ୍ଷା ଶେଷ ହେବାର ମାତ୍ର ୨ ଦିନ ମଧ୍ୟରେ ଫଳ ପ୍ରକାଶ କରି ନୂଆ ରେକର୍ଡ ସୃଷ୍ଟି କରିଛି ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (BPUT)। ଏହି ଉପଲବ୍ଧି ପାଇଁ ବିଶ୍ୱବିଦ୍ୟାଳୟକୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ (IBR) ଏବଂ ଏସିଆ ବୁକ୍ ଅଫ୍ ରେକର୍ଡସ (ABR) ପକ୍ଷରୁ ସ୍ୱୀକୃତି ମିଳିଛି।
୬୭ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ଫଳ
BPUTର ଅଡ୍ ସେମିଷ୍ଟର ପରୀକ୍ଷା ୨୦୨୫-୨୬ର ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୬୭,୯୬୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ୩୩୫ଟି ବିଷୟରେ ୩,୫୧,୨୬୪ଟି ଉତ୍ତରଖାତାର ମୂଲ୍ୟାୟନ କରାଯାଇଥିଲା।
ବିଶ୍ୱବିଦ୍ୟାଳୟର ୧,୪୫୭ ଜଣ ପଞ୍ଜୀକୃତ ଅଧ୍ୟାପକ ୫୮ଟି ନୋଡାଲ୍ କେନ୍ଦ୍ରରେ ଡିଜିଟାଲ୍ ମାଧ୍ୟମରେ ଉତ୍ତରଖାତା ମୂଲ୍ୟାୟନ କରିଥିଲେ। ପ୍ରତ୍ୟେକ ଅଧ୍ୟାପକଙ୍କ ପାଇଁ ଦିନକୁ ସର୍ବାଧିକ ୪୦ଟି ଉତ୍ତରଖାତା ମୂଲ୍ୟାୟନର ସୀମା ରଖାଯାଇଥିଲା।
କିପରି ହେଲା ଦ୍ରୁତ ଫଳ ପ୍ରକାଶ?
ପରୀକ୍ଷା ଶେଷ ହେବା ପରେ ଉତ୍ତରଖାତାଗୁଡ଼ିକୁ ସୁରକ୍ଷିତ ଭାବେ ରାଉରକେଲାସ୍ଥିତ ବିଶ୍ୱବିଦ୍ୟାଳୟ ମୁଖ୍ୟାଳୟକୁ ଅଣାଯାଇଥିଲା। ସେଠାରେ ଖାତାଗୁଡ଼ିକୁ କୋଡିଂ ଓ ସ୍କାନିଂ କରି ପରୀକ୍ଷା ପୋର୍ଟାଲରେ ଅପଲୋଡ୍ କରାଯାଇଥିଲା। ପରେ ଡିଜିଟାଲ୍ ଅନଲାଇନ୍ ମୂଲ୍ୟାୟନ କରାଯାଇଥିଲା।
ପରୀକ୍ଷାର ଶେଷ ପେପର୍ ଫେବ୍ରୁଆରୀ ୩ ତାରିଖ ଦିନ ୧ଟାରେ ଶେଷ ହୋଇଥିବା ବେଳେ ଫେବ୍ରୁଆରୀ ୫ ତାରିଖ ରାତି ୯ଟାରେ ଫଳ ପ୍ରକାଶ କରାଯାଇଥିଲା। ଫଳ ପ୍ରକାଶ ପୂର୍ବରୁ ସେହିଦିନ ରାତି ୮ଟାରେ କୁଳପତି ପ୍ରଫେସର ଅମୀୟ କୁମାର ରଥଙ୍କ ଅଧ୍ୟକ୍ଷତାରେ କଣ୍ଡକ୍ଟିଂ ବୋର୍ଡ ବୈଠକ ହୋଇ ଫଳାଫଳକୁ ଅନୁମୋଦନ କରାଯାଇଥିଲା।
୧୮୮ କଲେଜ୍, ୧୭୦ ପରୀକ୍ଷା କେନ୍ଦ୍ର
ଏହି ପରୀକ୍ଷାରେ ୧୮୮ଟି କଲେଜ୍ ସାମିଲ ହୋଇଥିଲା। ୧୭୦ଟି ପରୀକ୍ଷା କେନ୍ଦ୍ର ଓ ୫୮ଟି ଇ-ମୂଲ୍ୟାୟନ କେନ୍ଦ୍ର ମାଧ୍ୟମରେ ସମଗ୍ର ପ୍ରକ୍ରିୟା ସମ୍ପନ୍ନ ହୋଇଥିଲା।
ପ୍ରଯୁକ୍ତିର ବ୍ୟବହାର, ଡିଜିଟାଲ୍ ମୂଲ୍ୟାୟନ ଓ ସୁସଂଗଠିତ ପରୀକ୍ଷା ପରିଚାଳନା ଯୋଗୁଁ ଏତେ କମ୍ ସମୟରେ ବିପୁଳ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ ସମ୍ଭବ ହୋଇଥିବା ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି।
ଏହି ସଫଳତା ଉଚ୍ଚଶିକ୍ଷା କ୍ଷେତ୍ରରେ ଦ୍ରୁତ ଓ ପାରଦର୍ଶୀ ପରୀକ୍ଷା ଫଳ ପ୍ରକାଶ ପାଇଁ ନୂଆ ମାନଦଣ୍ଡ ସୃଷ୍ଟି କରିଛି।




