ଭୁବନେଶ୍ୱର: ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ବ୍ରଜ ମୋହନ ରାମ ରବିବାର (ଅକ୍ଟୋବର ୧୮) ଆନୁଷ୍ଠାନିକ ଭାବେ ଶପଥ ଗ୍ରହଣ କରିଛନ୍ତି। ଭୁବନେଶ୍ୱରସ୍ଥିତ ଲୋକ ଭବନର ନୂତନ ଭାବେ ନିର୍ମିତ ‘ଅଭିଷେକ ହଲ୍’ରେ ପୂର୍ବାହ୍ନ ୧୧:୦୦ ଟାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରୀଶ ଟଣ୍ଡନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।
ଏହି ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମନ୍ତ୍ରୀ ପରିଷଦର ସଦସ୍ୟବୃନ୍ଦ, ସାଂସଦ, ବିଧାୟକ ଏବଂ ବରିଷ୍ଠ ପ୍ରଶାସନିକ ଓ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହାଛଡ଼ା ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ, ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଏବଂ ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ ମଧ୍ୟ ଉପସ୍ଥିତ ରହି ନୂତନ ରାଜ୍ୟପାଳଙ୍କୁ ଅଭିନନ୍ଦନ ଜଣାଇଥିଲେ।
ଶପଥ ଗ୍ରହଣ ପୂର୍ବରୁ ଏବଂ ପରେ ସଶସ୍ତ୍ର ବାହିନୀ ପକ୍ଷରୁ ନୂତନ ରାଜ୍ୟପାଳଙ୍କୁ ସମ୍ମାନଜନକ ‘ଗାର୍ଡ ଅଫ୍ ଅନର’ ପ୍ରଦାନ କରାଯାଇଥିଲା। ଏହି ସମାରୋହକୁ ଦୃଷ୍ଟିରେ ରଖି ଲୋକ ଭବନ ଏବଂ ଏହାର ଆଖପାଖ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଶପଥ ନେବା ପରେ ବ୍ରଜ ମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଶ୍ରୀ ରାମ ଏବଂ ତାଙ୍କୁ ଧର୍ମପତ୍ନୀ ଗତକାଲି (ଶନିବାର) ଅପରାହ୍ନରେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଓଡ଼ିଶାରେ ପହଞ୍ଚିଥିଲେ। ଭୁବନେଶ୍ୱର ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ପୋଲିସ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର ଏବଂ ରାଜ୍ୟପାଳଙ୍କ ସଚିବ ରୂପାରୋଷଣ ସାହୁ ପ୍ରମୁଖ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ। ବିମାନବନ୍ଦରରେ ସ୍ୱାଗତ ପରେ ସେ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ ଏବଂ ପୁରୀ ଲୋକ ଭବନରେ କିଛି ସମୟ ଅତିବାହିତ କରିଥିଲେ।




