ପୁରୀ: ଆଜି ପବିତ୍ର ଶ୍ରାବଣ ଅମାବାସ୍ୟା। ଏହି ଦିନଟି ସମଗ୍ର ଓଡ଼ିଶାରେ ‘ଚିତାଲାଗି ଅମାବାସ୍ୟା’ କିମ୍ବା ‘ଚିତଉ ଅମାବାସ୍ୟା’ ଭାବେ ପାରମ୍ପରିକ ଉତ୍ସାହ ଓ ଆଧ୍ୟାତ୍ମିକତା ମଧ୍ୟରେ ପାଳିତ ହେଉଛି।ଆଜିର ପବିତ୍ର ତିଥିରେ ଓଡ଼ିଆ ଘରର ରୋଷେଇ ଘରୁ ନଡ଼ିଆ ଓ ଚାଉଳପିଠାର ସୁବାସ ମହକୁଥିବା ବେଳେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ୱତନ୍ତ୍ର ଓ ଆକର୍ଷଣୀୟ ‘ଚିତାଲାଗି ନୀତି’ ସମ୍ପନ୍ନ ହୋଇଛି।

ଶ୍ରୀମନ୍ଦିରରେ ଦିବ୍ୟ ଚିତାଲାଗି ନୀତି

ଶ୍ରୀମନ୍ଦିରର ପରମ୍ପରା ଅନୁସାରେ, ସ୍ନାନପୂର୍ଣ୍ଣିମା ଦିନ ସ୍ନାନବେଦୀରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଭୂଷଣଗୁଡ଼ିକ କାଢ଼ି ନିଆଯାଇଥାଏ।ରଥଯାତ୍ରା ସମୟରେ ଠାକୁରମାନେ ସାଧାରଣ ଶାଳ ଚିତା ଧାରଣ କରିଥାନ୍ତି।ମାତ୍ର ଚିତାଲାଗି ଅମାବାସ୍ୟାରେ ପୁନର୍ବାର ମହାପ୍ରଭୁଙ୍କ ଶ୍ରୀମୁଖରେ ସୁବର୍ଣ୍ଣ ଖଚିତ ଓ ମୂଲ୍ୟବାନ ରତ୍ନ ସଜ୍ଜିତ ଚିତା ଲାଗି କରାଯାଏ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମୁଖରେ ହୀରା ଖଚିତ ‘ହୀରା ଚିତା’, ପ୍ରଭୁ ବଳଭଦ୍ରଙ୍କ ଶ୍ରୀମୁଖରେ ସଫାୟାର ବା ‘ନୀଳା ଚିତା’ ଏବଂ ଦେବୀ ସୁଭଦ୍ରାଙ୍କ ଶ୍ରୀମୁଖରେ ରୁବି ବା ‘ମାଣିକ୍ୟ ଚିତା’ ଶୋଭାପାଏ। ଏହି ଦିବ୍ୟ ଚିତା ସୋଭିତ ହେବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପୂର୍ବ ଦିବ୍ୟ ଆଭା ପୁନର୍ବାର ପ୍ରକାଶ ପାଇଥାଏ।

ଐତିହାସିକ ପୃଷ୍ଠଭୂମି ଓ କାହାଣୀ

ଐତିହାସିକ ଗାଥା ଅନୁଯାୟୀ, କଳାପାହାଡ଼ର ଆକ୍ରମଣ ସମୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସୁରକ୍ଷିତ ରଖିବା ପାଇଁ ସୁବର୍ଣ୍ଣପୁରରେ ଗୁପ୍ତଭାବେ ରଖାଯାଇଥିଲା।ପରବର୍ତ୍ତୀ ସମୟରେ ଆଦି ଶଙ୍କରାଚାର୍ଯ୍ୟଙ୍କ ମାର୍ଗଦର୍ଶନରେ ରାଜା ଯଯାତି କେଶରୀ ପ୍ରଭୁଙ୍କୁ ଶ୍ରୀମନ୍ଦିରକୁ ଫେରାଇ ଆଣି ରତ୍ନବେଦୀରେ ପଟ୍ଟାଭିଷେକ କରାଇଥିଲେ।ଏହି ପ୍ରତିଷ୍ଠା ଉତ୍ସବରେ ମହାପ୍ରଭୁଙ୍କୁ ରତ୍ନଖଚିତ ସ୍ୱର୍ଣ୍ଣ ଚିତା ଅର୍ପଣ କରାଯାଇଥିଲା।ସେହି ଦିନଠାରୁ ପ୍ରତିବର୍ଷ ଶ୍ରାବଣ ଅମାବାସ୍ୟାରେ ଏହି ପରମ୍ପରା ନିଷ୍ଠାର ସହ ପାଳିତ ହୋଇଆସୁଛି।

ସାଂସ୍କୃତିକ ଗୁରୁତ୍ୱ ଓ ‘ଚିତଉ ପିଠା’

ଓଡ଼ିଆ ସଂସ୍କୃତିରେ ପର୍ବପର୍ବାଣି ସହ ପିଠାପଣାର ସମ୍ପର୍କ ଅବିଚ୍ଛେଦ୍ୟ।ଚିତାଲାଗି ଅମାବାସ୍ୟାରେ ଓଡ଼ିଆ ଘରେ ଘରେ ନଡ଼ିଆ ସୋରିଷ ପକାଇ ସ୍ୱାଦିଷ୍ଟ ‘ଚିତଉ ପିଠା’ ପ୍ରସ୍ତୁତ କରାଯାଏ।ଏହି ପିଠା ପ୍ରଥମେ ଇଷ୍ଟଦେବ ଓ ମହାପ୍ରଭୁଙ୍କୁ ଭୋଗ ଲଗାଯାଏ।

ଏହାସହ ଏହାକୁ ଏକ କୃଷିଭିତ୍ତିକ ପର୍ବ ଭାବେ ମଧ୍ୟ ଗ୍ରହଣ କରାଯାଏ।କୃଷକମାନେ ନିଜ କ୍ଷେତରେ ବିଲ ଗେଣ୍ଡା, ପୋକମାକଡ଼ଙ୍କ କୋପରୁ ଫସଲକୁ ରକ୍ଷା କରିବା ପାଇଁ ପୂଜା କରିବା ସହ କ୍ଷେତରେ ପିଠା ସମର୍ପଣ କରିଥାନ୍ତି।ଶ୍ରଦ୍ଧା, ଆସ୍ଥା, କୃଷି ଓ ଖାଦ୍ୟପେୟର ଏହି ଅନନ୍ୟ ସମାହାର ଓଡ଼ିଆ ଜାତିର ସଂସ୍କୃତିକୁ ଋଦ୍ଧିମନ୍ତ କରିଛି।