ବ୍ରହ୍ମପୁର: ବାତ୍ୟା ‘ଅକ୍ଭାନ’ପରବର୍ତ୍ତୀ ବନ୍ୟା ଯୋଗୁଁ ଗଞ୍ଜାମ ଜିଲ୍ଲାରେ ହୋଇଥିବା କୃଷି କ୍ଷୟକ୍ଷତିର ସିଧାସଳଖ ଅନୁଧ୍ୟାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଜଳମଗ୍ନ ଚାଷଜମିକୁ ଓହ୍ଲାଇ ସ୍ଥିତି ପରଖିଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ଦୁର୍ଦ୍ଦଶାଗ୍ରସ୍ତ ଚାଷୀମାନଙ୍କ ସହିତ ସିଧାସଳଖ ଆଲୋଚନା କରି ଫସଲହାନିର ଆକଳନ କରିଛନ୍ତି ଏବଂ ସେମାନଙ୍କ ସମସ୍ୟା ଶୁଣିଛନ୍ତି।
ମୁଖ୍ୟମନ୍ତ୍ରୀ ପ୍ରଥମେ ପୁରୁଷୋତ୍ତମପୁର ବ୍ଲକ୍ ଅନ୍ତର୍ଗତ ହାଣ୍ଡିଘର ଗ୍ରାମରେ ପହଞ୍ଚି ବନ୍ୟା ଜଳରେ ବୁଡ଼ି ରହିଥିବା ଚାଷଜମି ପରିଦର୍ଶନ କରିଥିଲେ ଏବଂ ଫସଲ କ୍ଷତିର ପରିମାଣ ସମ୍ପର୍କରେ ଚାଷୀମାନଙ୍କ ସହ କଥା ହୋଇଥିଲେ। ଏହା ପରେ ସେ ଛତ୍ରପୁର ବ୍ଲକ୍ର ବଉଳଗାଁ ନିକଟସ୍ଥ ଚାରିଛକ ଅଞ୍ଚଳକୁ ଯାଇ ସ୍ଥାନୀୟ ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ଉପସ୍ଥିତିରେ ବନ୍ୟା ପାଣିରେ ନଷ୍ଟ ହୋଇଥିବା ଧାନକ୍ଷେତର ସ୍ଥିତି ଅନୁଧ୍ୟାନ କରିଥିଲେ। ବାତ୍ୟା ଓ ପରବର୍ତ୍ତୀ ବନ୍ୟାର ପ୍ରଭାବ ସମ୍ପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏକ ପାୱାର ପଏଣ୍ଟ ଉପସ୍ଥାପନା ମଧ୍ୟ ମୁଖ୍ୟମନ୍ତ୍ରୀ ଦେଖିଥିଲେ।
କ୍ଷେତ୍ର ପରିଦର୍ଶନ ଶେଷ ହେବା ପରେ ଛତ୍ରପୁରସ୍ଥିତ ଡିଆର୍ଡିଏ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହି ଆଲୋଚନାରେ କୃଷି କ୍ଷୟକ୍ଷତିର ଆକଳନ, ରିଲିଫ ସାମଗ୍ରୀ ବଣ୍ଟନ ଏବଂ ପୁନରୁଦ୍ଧାର ଓ ଥଇଥାନ କାର୍ଯ୍ୟର ଅଗ୍ରଗତି ଉପରେ ଗୁରୁତ୍ୱ ଦିଆଯାଇଥିଲା।
ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଅନ୍ୟାନ୍ୟ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ସ୍ୱତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ଗଞ୍ଜାମର ବିଭିନ୍ନ ଅଞ୍ଚଳରେ ବ୍ୟାପକ ବନ୍ୟା ଯୋଗୁଁ ବ୍ୟାପକ ଚାଷଜମି ଜଳମଗ୍ନ ହୋଇ ରହିଥିବା ବେଳେ ଚାଷୀମାନେ ବଡ଼ ଧରଣର ଫସଲହାନିର ସମ୍ମୁଖୀନ ହୋଇଛନ୍ତି। ଏଭଳି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ଏହି କ୍ଷେତ୍ର ପରିଦର୍ଶନ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆଶ୍ୱସ୍ତି ଦେଇଛି।




