ଭୁବନେଶ୍ୱର: ଏସିଆନ୍ ଗେମ୍ସ ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତି ନୂତନ ଇତିହାସ ରଚିଥିବା ଭାରତୀୟ ମହିଳା ହକି ଦଳ ପାଇଁ ବଡ଼ ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଜୟୀ ଭାରତୀୟ ଦଳର ପ୍ରତ୍ୟେକ ଖେଳାଳିଙ୍କୁ ୧୧ ଲକ୍ଷ ଟଙ୍କା ଏବଂ ପ୍ରତ୍ୟେକ ସପୋର୍ଟ ଷ୍ଟାଫ୍ଙ୍କୁ ୫.୫ ଲକ୍ଷ ଟଙ୍କା ଲେଖାଏଁ ନଗଦ ପୁରସ୍କାର ପ୍ରଦାନ କରାଯିବ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସାମାଜିକ ଗଣମାଧ୍ୟମ ‘X’ ରେ ପୋଷ୍ଟ କରି ଖେଳାଳିଙ୍କୁ ଶୁଭେଛା ଜଣାଯାଇଛି। ଭାରତୀୟ ମହିଳା ହକି ଦଳର ଅସାଧାରଣ ପ୍ରଦର୍ଶନ, ଦୃଢ଼ ସଂକଳ୍ପ ଏବଂ ନିଷ୍ଠା ସାରା ଦେଶ ପାଇଁ ଗୌରବ ଆଣିଦେଇଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି।
ଜାପାନର ଆଇଚି-ନାଗୋୟାଠାରେ ଆୟୋଜିତ ଏସିଆନ୍ ଗେମ୍ସର ଚିତ୍ତାକର୍ଷକ ଫାଇନାଲ୍ ମ୍ୟାଚ୍ରେ ଭାରତୀୟ ମହିଳା ଦଳ ଗତଥରର ଚାମ୍ପିଅନ୍ ଚୀନ୍କୁ ୧-୦ ଗୋଲ୍ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛି। ୪ ଦଶନ୍ଧିରୁ ଅଧିକ ସମୟ (୪୦ ବର୍ଷରୁ ଅଧିକ) ପରେ ଭାରତୀୟ ମହିଳା ହକି ଦଳ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିବାରେ ସଫଳ ହୋଇଛି।
ଏହି ସ୍ୱର୍ଣ୍ଣିମ ବିଜୟ ସହ ଭାରତୀୟ ମହିଳା ହକି ଦଳ ୨୦୨୮ ଲସ୍ ଆଞ୍ଜେଲସ୍ (LA 2028) ଓଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ହାସଲ କରିଛି।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଓଡ଼ିଶା ସରକାର ସଦାସର୍ବଦା ଭାରତୀୟ ହକି ସହ ଦୃଢ଼ ଭାବରେ ଛିଡ଼ା ହୋଇଛନ୍ତି ଏବଂ କ୍ରୀଡ଼ା କ୍ଷେତ୍ରରେ ଉତ୍କର୍ଷତାକୁ ପ୍ରୋତ୍ସାହିତ କରିବା ପାଇଁ ନିରନ୍ତର ସହଯୋଗ ଯୋଗାଇଦେବେ। ଓଡ଼ିଶା ଦୀର୍ଘ ଦିନରୁ ଭାରତୀୟ ଜାତୀୟ ହକି ଦଳ (ପୁରୁଷ ଓ ମହିଳା) ର ପ୍ରାୟୋଜକ ଭାବେ କ୍ରୀଡ଼ାର ଭିତ୍ତିଭୂମି ଓ ଖେଳାଳିଙ୍କ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି।




