ଭୁବନେଶ୍ୱର: ଓଡ଼ିଶାରେ ସଂଗଠନକୁ ଅଧିକ ସୁଦୃଢ଼ ଓ କ୍ରିୟାଶୀଳ କରିବା ପାଇଁ କଂଗ୍ରେସ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (OPCC) ପାଇଁ ଏକ ଶକ୍ତିଶାଳୀ ‘ପୋଲିଟିକାଲ ଆଫେୟାର୍ସ କମିଟି’ (PAC) ଗଠନ କରାଯାଇଛି। ସର୍ବଭାରତୀୟ କଂଗ୍ରେସ କମିଟି (AICC) ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ବରିଷ୍ଠ ନେତା ଲାଲଜୀ ଦେଶାଇଙ୍କୁ ଏହି କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଅନୁମୋଦନ କ୍ରମେ ଏହି ନୂତନ କମିଟି ଗଠନ କରାଯାଇଥିବା ବେଳେ ଏହା ତୁରନ୍ତ କାର୍ଯ୍ୟକାରୀ ହୋଇଛି।

ନବଗଠିତ ଏହି ହେଭିୱେଟ୍ କମିଟିରେ ରାଜ୍ୟ କଂଗ୍ରେସର ଅନେକ ପ୍ରମୁଖ ଓ ବରିଷ୍ଠ ନେତାଙ୍କୁ ସାମିଲ କରାଯାଇଛି। ଏଥିରେ ଭକ୍ତ ଚରଣ ଦାସ, ରାମଚନ୍ଦ୍ର କଦମ, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ସପ୍ତଗିରୀ ଶଙ୍କର ଉଲ୍ଲାକା, ରାମଚନ୍ଦ୍ର ଖୁଣ୍ଟିଆ, ନରସିଂହ ମିଶ୍ର ଏବଂ ଶ୍ରୀକାନ୍ତ ଜେନାଙ୍କ ଭଳି ହେଭିୱେଟ୍‌ ନେତାମାନେ ସ୍ଥାନ ପାଇଛନ୍ତି।

ଏହା ବ୍ୟତୀତ ଜଗନ୍ନାଥ ପଟ୍ଟନାୟକ, କିଶୋର ପଟେଲ, ଅମର ନାଥ ପ୍ରଧାନ, ସୁରେଶ ରାଉତରାୟ, ନଗେନ୍ଦ୍ର ପ୍ରଧାନ, ପଞ୍ଚାନନ କାନୁନଗୋ, ଶରତ ରାଉତ, ସରସ୍ୱତୀ ହେମ୍ବ୍ରମ, ଅନନ୍ତ ପ୍ରସାଦ ସେଠୀ, ତାରା ପ୍ରସାଦ ବାହିନୀପତି, ସି. ଏସ୍. ରାଜିନ୍ ଏକ୍କା ଏବଂ ସନ୍ତୋଷ ସିଂହ ସାଲୁଜାଙ୍କୁ ମଧ୍ୟ କମିଟିର ସଦସ୍ୟ କରାଯାଇଛି। ସେହିପରି ଦେବାଶିଷ ପଟ୍ଟନାୟକ, ଶିବାନନ୍ଦ ରାୟ, ବିଶ୍ୱରଞ୍ଜନ ମହାନ୍ତି, ଶାଶ୍ୱତୀ ବେହେରା ଓ ସିଦ୍ଧାର୍ଥ ସ୍ୱରୂପ ଦାଶ ମଧ୍ୟ ଏହି ପ୍ୟାନେଲରେ ସାମିଲ ଅଛନ୍ତି।

ଏହି କମିଟିରେ ଓଡ଼ିଶା ଦାୟିତ୍ୱରେ ଥିବା AICC ସମ୍ପାଦକମାନଙ୍କ ସମେତ ପ୍ରଦେଶ ମହିଳା କଂଗ୍ରେସ ସଭାପତି, ପ୍ରଦେଶ ଯୁବ କଂଗ୍ରେସ ସଭାପତି, NSUI ସଭାପତି ଏବଂ ରାଜ୍ୟ ସେବା ଦଳ ମୁଖ୍ୟଙ୍କୁ ସହ-ସଦସ୍ୟ ଭାବେ ଗ୍ରହଣ କରାଯାଇଛି।

ଆଗାମୀ ନିର୍ବାଚନୀ ଲଢ଼େଇ ଏବଂ ରାଜନୈତିକ ସ୍ଥିତିକୁ ଦୃଷ୍ଟିରେ ରଖି ଦଳୀୟ ସମନ୍ୱୟ ରକ୍ଷା କରିବା, ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ନିଷ୍ପତ୍ତି ନେବା ଏବଂ ଗ୍ରାସରୁଟ୍ ସ୍ତରରେ କଂଗ୍ରେସକୁ ଅଧିକ ମଜବୁତ କରିବା ଲକ୍ଷ୍ୟରେ ଏହି ‘ପୋଲିଟିକାଲ ଆଫେୟାର୍ସ କମିଟି’ ଗଠନ କରାଯାଇଛି ବୋଲି ଦଳୀୟ ସୂତ୍ରରୁ ପ୍ରକାଶ।