କଟକ: କଟକ ଜିଲ୍ଲା ମାଣିଆବନ୍ଧ ଥାନା ଅନ୍ତର୍ଗତ ତାଳମୁଣ୍ଡୁଳି ଗାଁରେ ଗୁଣି ଗାରେଡ଼ି ସନ୍ଦେହରେ ଜଣେ ୩୦ ବର୍ଷୀୟ ଯୁବକ ଟିକମ ବେହେରାଙ୍କୁ ଗ୍ରାମବାସୀ ପିଟି ପିଟି ହତ୍ୟା କରିଛନ୍ତି। କେବଳ ସେତିକି ନୁହେଁ, ଅପରାଧ ଲୁଚାଇବା ପାଇଁ ଅଭିଯୁକ୍ତମାନେ ଶବକୁ ଗହୀର ଜଙ୍ଗଲକୁ ନେଇ ପୋଡ଼ି ଦେଇଥିଲେ। ଗତ ମେ’ ୧୦ ତାରିଖରେ ଘଟିଥିବା ଏହି ନୃଶଂସ କାଣ୍ଡ ବିଷୟରେ ମୃତକଙ୍କ ବାପା ଥାନାରେ ଏବେ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଛି।
ଅଭିଯୋଗକୁ ଭିତ୍ତି କରି ପୋଲିସ ଜଙ୍ଗଲରୁ ମୃତକଙ୍କ ପୋଡ଼ା ଅସ୍ଥି ଜବତ କରିବା ସହ ୨୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଭୟରେ ଗାଁର ଅନ୍ୟ ପୁରୁଷ ଲୋକେ ଫେରାର ହୋଇଯାଇଥିବାରୁ ସମ୍ପୂର୍ଣ୍ଣ ଗାଁ ଏବେ ଜନଶୂନ୍ୟ ହୋଇପଡ଼ିଛି।
କଟକ ଗ୍ରାମାଞ୍ଚଳ ଏସପିଙ୍କ ସୂଚନା ଅନୁସାରେ, ଏସଡିପିଓଙ୍କ ନେତୃତ୍ୱରେ ୩ଟି ପୋଲିସ ଟିମ୍ ଏବଂ ସାଇଣ୍ଟିଫିକ୍ ଟିମ୍ ଏହି ସଂବେଦନଶୀଳ ମାମଲାର ଅଧିକ ତଦନ୍ତ ଜାରି ରଖିଛନ୍ତି।




