ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ଅକ୍ୱାନ୍’ ଅଧିକ ଘନୀଭୂତ ହେଉଥିବାରୁ ଯେକୌଣସି ସମ୍ଭାବ୍ୟ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। କଟକର ମୁଣ୍ଡଳିଠାରେ ଥିବା ଏନଡିଆରଏଫର ତୃତୀୟ ବାଟାଲିୟନ ର ଉଦ୍ଧାରକାରୀ ଦଳଗୁଡ଼ିକୁ ଓଡ଼ିଶା ଏବଂ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ମୁତୟନ କରାଯାଇଛି।

ସୂଚନା ଅନୁଯାୟୀ, ଗତ ନଭେମ୍ବର ୧୭ ତାରିଖରେ ଓଡ଼ିଶାର ପାଞ୍ଚଟି ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗଞ୍ଜାମ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରିରେ ପାଞ୍ଚଟି ଉଦ୍ଧାରକାରୀ ଟିମ୍ ମୁତୟନ କରାଯାଇଥିଲା। ବାତ୍ୟାର ଗତିବିଧି ଓ ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଆଜି ବୁଧବାର ଦିନ ଆଉ ତିନୋଟି ଅତିରିକ୍ତ ଟିମ୍ ପଠାଯାଇଛି। ଏଥିମଧ୍ୟରୁ ଦୁଇଟି ଅତିରିକ୍ତ ଟିମ୍ ଗଞ୍ଜାମ ଜିଲ୍ଲାରେ ଏବଂ ଗୋଟିଏ ଟିମ୍ ଗଜପତି ଜିଲ୍ଲାରେ ମୁତୟନ ହୋଇଛି। ଏହା ସହିତ ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ମୋଟ ୬ଟି ଜିଲ୍ଲାରେ ୮ଟି ଏନଡିଆରଏଫ୍ ଟିମ୍ ନିୟୋଜିତ ହୋଇସାରିଛନ୍ତି।

ଅନ୍ୟପଟେ, ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ଥିବାରୁ ଯେକୌଣସି ଜରୁରୀ ପରିସ୍ଥିତିକୁ ସମ୍ଭାଳିବା ପାଇଁ ବିଶାଖାପାଟଣାରେ ମଧ୍ୟ ଏନଡିଆରଏଫର ୩ଟି ଉଦ୍ଧାରକାରୀ ଟିମ୍ ମୁତୟନ କରାଯାଇଛି। ଏହା ବ୍ୟତୀତ ମୁଣ୍ଡଳି ବାଟାଲିୟନରେ ଥିବା ଅନ୍ୟ ସମସ୍ତ ଟିମକୁ ହାଇ ଆଲର୍ଟ ବା ଷ୍ଟାଣ୍ଡବାଏରେ ରଖାଯାଇଛି। ପରିସ୍ଥିତିର ଆବଶ୍ୟକତା ଅନୁଯାୟୀ ସେମାନଙ୍କୁ ତୁରନ୍ତ ପ୍ରଭାବିତ ଅଞ୍ଚଳକୁ ପଠାଯିବ ବୋଲି ଏନଡିଆରଏଫ୍ ପକ୍ଷରୁ ସୂଚନା ଦିଆଯାଇଛି। ବାତ୍ୟା ଯୋଗୁଁ ହେବାକୁ ଥିବା ବନ୍ୟା, ଜଳବନ୍ଦୀ ସମସ୍ୟା, ଗଛ ଉପୁଡ଼ିବା ଏବଂ ଅନ୍ୟାନ୍ୟ ବିପର୍ଯ୍ୟୟ ସମୟରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଚଳାଇବା ପାଇଁ ଏହି ଟିମଗୁଡ଼ିକ ଅତ୍ୟାଧୁନିକ ଯନ୍ତ୍ରପାତି ସହ ପ୍ରସ୍ତୁତ ରହିଛନ୍ତି।