ଭୁବନେଶ୍ଵର: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟାକୁ ନେଇ ସୃଷ୍ଟି ହୋଇଥିବା ଆଶଙ୍କା ଏବଂ ଗୁଜବ ଉପରେ ରୋକ୍ ଲଗାଇଛନ୍ତି ଭାରତୀୟ ପାଣିପାଗ ବିଭାଗ (IMD) ର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର। ବର୍ତ୍ତମାନ ପରିସ୍ଥିତିରେ ଆତଙ୍କିତ ହେବାର କୌଣସି କାରଣ ନାହିଁ ଏବଂ ପାଣିପାଗ ବିଭାଗ ପକ୍ଷରୁ କୌଣସି ବାତ୍ୟାର ପୂର୍ବାନୁମାନ କରାଯାଇ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ସମ୍ବଲପୁରଠାରେ ଏକ ନୂତନ ଡପ୍ଲର ରାଡାରର ଉଦ୍‌ଘାଟନ ଅବସରରେ ଯୋଗଦେଇ ଡ. ମହାପାତ୍ର କହିଛନ୍ତି ଯେ, ବିଭାଗ କ୍ରମାଗତ ଭାବେ ବାୟୁମଣ୍ଡଳୀୟ ପରିବର୍ତ୍ତନ ଉପରେ ନଜର ରଖିଛି।

“ସେପ୍ଟେମ୍ବର ୧୯ ତାରିଖ ପରେ ସମ୍ପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହେବ। କୌଣସି ବିପଦ ଥିଲେ ସଠିକ୍ ସମୟରେ ଆଗୁଆ ପୂର୍ବାନୁମାନ ଓ ସତର୍କସୂଚନା ଜାରି କରାଯିବ। ତେଣୁ ସୋସିଆଲ ମିଡିଆ କିମ୍ବା ଅନ୍ୟାନ୍ୟ ସୂତ୍ରରୁ ପ୍ରସାରିତ ହେଉଥିବା ବାତ୍ୟା ଗୁଜବରେ ଲୋକମାନେ ଭୟଭୀତ ହେବା ଆବଶ୍ୟକ ନାହିଁ,” ବୋଲି ସେ ପ୍ରକାଶ କରିଛନ୍ତି।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଥାଇଲ୍ୟାଣ୍ଡ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଉତ୍ତର ଆଣ୍ଡାମାନ ସାଗରରେ ପ୍ରବେଶ କରିବ। ଏହାର ପ୍ରଭାବରେ ସେପ୍ଟେମ୍ବର ୧୯ ସନ୍ଧ୍ୟା ସୁଦ୍ଧା ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ପରବର୍ତ୍ତୀ ସମୟରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବ।

ଏହି ଲଘୁଚାପ କ୍ଷେତ୍ରଟି ଅବପାତ କିମ୍ବା ବାତ୍ୟାର ରୂପ ନେବ କି ନାହିଁ, ସେ ନେଇ ଏବେଠାରୁ କିଛି କହିବା ଶୀଘ୍ରତା ହେବ ବୋଲି IMD ମୁଖ୍ୟ ସ୍ପଷ୍ଟ କରିଛନ୍ତି। ତେବେ ଏହି ସିଷ୍ଟମ୍ ପ୍ରଭାବରେ ଓଡ଼ିଶାର ବହୁ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଅନ୍ୟପକ୍ଷରେ, କେତେକ ଆନ୍ତର୍ଜାତୀୟ ପାଣିପାଗ ମଡେଲ୍ ବଙ୍ଗୋପସାଗରରେ ଏକ ଶକ୍ତିଶାଳୀ ସାମୁଦ୍ରିକ ଝଡ଼ ସୃଷ୍ଟି ହେବାର ପୂର୍ବାନୁମାନ କରିଥିବାରୁ ଉପକୂଳବର୍ତ୍ତୀ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିଲା। ମାତ୍ର ଆଇଏମ୍‌ଡି ନିରନ୍ତର ସ୍ଥିତି ଉପରେ ନଜର ରଖିଛି ଏବଂ ସମୟୋପଯୋଗୀ ପୂର୍ବାନୁମାନ ପ୍ରଦାନ କରିବ ବୋଲି ଆଶ୍ୱାସନା ଦେଇଛି।