ଭୁବନେଶ୍ୱର: ଓଡ଼ିଶାରେ ପୁଣି ଥରେ ବର୍ଷାର ବିସ୍ତୃତ ସ୍ପେଲ୍ ଆରମ୍ଭ ହେବାକୁ ଯାଉଛି। ଉତ୍ତର ଓଡ଼ିଶା ଆକାଶରେ ସେପ୍ଟେମ୍ବର ୮ ତାରିଖ (ମଙ୍ଗଳବାର) ଆଡ଼କୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବ୍ୟାପକ ବର୍ଷା ହୋଇପାରେ ବୋଲି ପାଣିପାଗ ପୂର୍ବାନୁମାନ କରାଯାଇଛି।
ବିଶିଷ୍ଟ ପାଣିପାଗ ବିଜ୍ଞାନୀ ଡକ୍ଟର ଶରତ ସାହୁଙ୍କ ସୂଚନା ଅନୁଯାୟୀ, ଏହି ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା କମ୍ ଥିଲେ ହେଁ ଏହାର ପ୍ରଭାବରେ ସେପ୍ଟେମ୍ବର ୧୧ ପର୍ଯ୍ୟନ୍ତ ରାଜ୍ୟର ଅନେକ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ଜାରି ରହିବ। ବିଶେଷ କରି ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବ୍ୟାପକ ବର୍ଷା ହେବାର ଅନୁମାନ କରାଯାଉଛି। ଯାଜପୁର, ବାଲେଶ୍ୱର, ଦେବଗଡ଼, କେନ୍ଦୁଝର ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଭଲ ବର୍ଷା ସହ କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।
ପାଣିପାଗ ବିଶେଷଜ୍ଞଙ୍କ ଅନୁସାରେ, ସେପ୍ଟେମ୍ବର ୯ରୁ ବର୍ଷାର ପରିମାଣ ଓ ବିସ୍ତୃତି ବୃଦ୍ଧି ପାଇବ। ସେପ୍ଟେମ୍ବର ୧୦ରେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହା ପରଦିନ, ଅର୍ଥାତ୍ ସେପ୍ଟେମ୍ବର ୧୧ରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବହୁ ଅଞ୍ଚଳକୁ ବର୍ଷା ବ୍ୟାପିବ।
ଅନ୍ୟପଟେ, ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ପ୍ରକ୍ରିୟା ଜାରି ରହିଛି। ଗତ ରବିବାର ବାରିପଦାରେ ୧୭.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱର, କଟକ ଏବଂ କେନ୍ଦ୍ରାପଡ଼ାର ବିଭିନ୍ନ ଅଞ୍ଚଳରେ ମଧ୍ୟ ସାମାନ୍ୟ ବର୍ଷା ହୋଇଯାଇଛି।




