ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣିଥରେ ଏକ ଶକ୍ତିଶାଳୀ ବାତ୍ୟା ମୁଣ୍ଡଟେକିଛି। ସାମୁଦ୍ରିକ ଝଡ଼ ‘ଅକ୍ୱାନ୍’ ଅଧିକ ଘନୀଭୂତ ହୋଇ ଏକ ‘ଅତି ଭୀଷଣ ସାମୁଦ୍ରିକ ବାତ୍ୟା’ର ରୂପ ନେବ ବୋଲି ଆକଳନ କରାଯାଇଛି। ଆସନ୍ତା ଶୁକ୍ରବାର ଦିନ ମଧ୍ୟାହ୍ନ ସମୟରେ ଏହା ଆନ୍ଧ୍ରପ୍ରଦେଶ-ୟାନମ ଉପକୂଳର ନେଲୋର ଏବଂ ଟୁନି ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଏହି ବାତ୍ୟା ପ୍ରଭାବରେ ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୨୦ ରୁ ୧୩୦ କିଲୋମିଟର ଏବଂ କିଛି ସ୍ଥାନରେ ଝଟକା ପବନର ବେଗ ୧୪୫ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ।

ବାତ୍ୟାର ଭୟବହତାକୁ ଦୃଷ୍ଟିରେ ରଖି IMD ପକ୍ଷରୁ ଆନ୍ଧ୍ରପ୍ରଦେଶ ଏବଂ ସଂଲଗ୍ନ ଦକ୍ଷିଣ ଓଡ଼ିଶା ପାଇଁ ‘ଅରେଞ୍ଜ ଆର୍ଲର୍ଟ’ ଜାରି କରାଯାଇଛି। ବାତ୍ୟା ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ଏବଂ କିଛି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମଙ୍ଗଳବାର ଦିନ ଭୋର ୨:୩୦ ସମୟରେ ‘ଅକ୍ୱାନ୍’ ଦକ୍ଷିଣ ଏବଂ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ, ଗୋପାଳପୁରଠାରୁ ପ୍ରାୟ ୭୯୦ କିଲୋମିଟର ଦକ୍ଷିଣରେ କେନ୍ଦ୍ରଭୂତ ହୋଇଥିଲା। ଏହା ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଏକ ‘ଭୀଷଣ ସାମୁଦ୍ରିକ ବାତ୍ୟା’ ଏବଂ ଗୁରୁବାର ସକାଳ ସୁଦ୍ଧା ଏକ ‘ଅତି ଭୀଷଣ ସାମୁଦ୍ରିକ ବାତ୍ୟା’ରେ ପରିଣତ ହେବ।

ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ନଭେମ୍ବର ୧୯ ଏବଂ ୨୦ ତାରିଖରେ ୨୧ ସେଣ୍ଟିମିଟର ବା ତାହାଠାରୁ ଅଧିକ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ। ଅନ୍ୟପଟେ ଓଡ଼ିଶାରେ ନଭେମ୍ବର ୧୮ ତାରିଖରୁ ବର୍ଷା ଆରମ୍ଭ ହେବାକୁ ଥିବାବେଳେ ନଭେମ୍ବର ୧୯ ରୁ ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି।

ପରିସ୍ଥିତିର ମୁକାବିଲା ପାଇଁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାୟୁଡ଼ି ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ଏବଂ ସେମାନଙ୍କୁ ସୁରକ୍ଷିତ ଭାବେ କୂଳକୁ ଫେରିଆସିବାକୁ କୁହାଯାଇଛି। ଏହାସହ ବାତ୍ୟା ପରେ ତୁରନ୍ତ ବିଦ୍ୟୁତ୍ ଏବଂ ରାସ୍ତାଘାଟ ସଂଯୋଗକୁ ସ୍ୱାଭାବିକ୍ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଉଛି।