ଦେବଗଡ଼ରେ ସାଂଘାତିକ ହତ୍ୟାକାଣ୍ଡ
ଦେବଗଡ଼: ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଓ ନୃଶଂସ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ରାତିରେ ପ୍ରେମିକାକୁ ଭେଟିବାକୁ ଯାଇଥିବା ଜଣେ ଇଞ୍ଜିନିୟରିଂ ପାସ୍ଆଉଟ୍ ଯୁବକଙ୍କୁ ପ୍ରେମିକାଙ୍କ ପରିବାର ଲୋକେ ବେଧଡ଼କ ମାଡ଼ ମାରିବା ସହ ଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଜୀବନ୍ତ ଜାଳି ଦେଇଥିବା ନେଇ ସାଂଘାତିକ ଅଭିଯୋଗ ହୋଇଛି। ମୃତ ଯୁବକଜଣକ ହେଉଛନ୍ତି ନିକଟସ୍ଥ ବାବରାକୋଟ ଗ୍ରାମର ସିଲୁ ରାୟ।
ସୂଚନାନୁସାରେ, ସିଲୁ ଇଞ୍ଜିନିୟରିଂ ପଢ଼ା ଶେଷ କରିବା ପରେ କିଛି ବର୍ଷ ସ୍ଥାନୀୟ ଅଞ୍ଚଳରେ କାମ କରୁଥିଲେ। ଗତ ୪ ମାସ ତଳେ ସେ ମୁମ୍ବାଇ ଗୋଟିଏ ଘରୋଇ ସଂସ୍ଥାରେ ଚାକିରି ପାଇ ଯାଇଥିଲେ। ଗତକାଲି ସକାଳେ ହିଁ ସେ ମୁମ୍ବାଇରୁ ନିଜ ଗାଁ ବାବରାକୋଟକୁ ଫେରିଥିଲେ।
ସନ୍ଧ୍ୟା ସମୟରେ ସେ ଦେବଗଡ଼ ଆଡ଼େ ଯାଉଛନ୍ତି ବୋଲି ଘରେ ଜଣାଇ ରିଆମାଳ ଲକ୍ଷ୍ମୀ ଛକ ନିକଟରେ ଥିବା ନିଜ ପ୍ରେମିକାଙ୍କ ଘରକୁ ତାଙ୍କୁ ଭେଟିବା ପାଇଁ ଯାଇଥିଲେ।
ସିଲୁ ଘରେ ପହଞ୍ଚିବା ପରେ ପ୍ରେମିକାଙ୍କ ପରିବାର ଲୋକେ ତାଙ୍କୁ ଦେଖିଦେଇଥିଲେ। ଏହାକୁ ନେଇ ସେଠାରେ ପ୍ରବଳ ପାଟିତୁଣ୍ଡ ଓ ଯୁକ୍ତିତର୍କ ହୋଇଥିଲା। ଅଭିଯୋଗ ଅନୁଯାୟୀ, ଉତ୍ତ୍ୟକ୍ତ ପରିବାର ଲୋକେ ସିଲୁଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ଆକ୍ରମଣ କରି ରକ୍ତାକ୍ତ କରିଦେଇଥିଲେ। ସିଲୁ ଗୁରୁତର ଅବସ୍ଥାରେ ପଡ଼ିଥିବା ବେଳେ ତାଙ୍କ ଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦିଆଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ଯନ୍ତ୍ରଣାଦାୟକ ମୃତ୍ୟୁ ଘଟିଥିଲା।
ଘଟଣା ସମ୍ପର୍କରେ ଖବର ପାଇ ରିଆମାଳ ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଅଭିଯୁକ୍ତ ପ୍ରେମିକା, ତାଙ୍କ ବାପା ଓ ମା’ଙ୍କୁ ଅଟକ ରଖି ପଚରାଉଚୁରା ଚଳାଇଛି।
ପୋଲିସ ଘଟଣାସ୍ଥଳକୁ ସିଲ୍ କରିଦେଇଛି। ସାଇଣ୍ଟିଫିକ୍ ଟିମ୍ ଏବଂ ସ୍ନିଫର୍ ଡଗ୍ ପହଞ୍ଚିବା ପରେ ଅଧିକ ପ୍ରମାଣ ସଂଗ୍ରହ କରାଯାଇ ଆଗ୍ରହୀ ତଦନ୍ତ କରାଯିବ। ଅପରପକ୍ଷରେ, ମୃତକଙ୍କ ବଡ଼ ଭାଇ ଯଶୋଧର ରାୟ ଏନେଇ ରିଆମାଳ ଥାନାରେ ଏକ ଲିଖିତ ଏତଲା ଦାଖଲ କରିଛନ୍ତି। ଏହି ନୃଶଂସ କାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।




