ଭୁବନେଶ୍ୱର: ଓଡ଼ିଶାର ପ୍ରସିଦ୍ଧ ଡେବ୍ରୀଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟରେ ବନ୍ୟଜନ୍ତୁ ଏବଂ ଜଙ୍ଗଲ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯାଇଛି। କୃତ୍ରିମ ବୁଦ୍ଧିମତ୍ତା (AI) ଆଧାରିତ ଅତ୍ୟାଧୁନିକ ସର୍ଭେଲାନ୍ସ ସିଷ୍ଟମ ସହାୟତାରେ ଏବେ ଅଭୟାରଣ୍ୟରେ କଡ଼ା ନଜର ରଖାଯାଉଛି।
ଏହି ନୂତନ ସୁରକ୍ଷା ବ୍ୟବସ୍ଥାରେ ଏକ ‘ଇ-ଆଇ’ ସର୍ଭେଲାନ୍ସ ଟାୱାର ଏବଂ ୧୮ଟି ଏଆଇ-ସଂଯୁକ୍ତ ସ୍ମାର୍ଟ କ୍ୟାମେରା ଟ୍ରାପ୍ ସାମିଲ କରାଯାଇଛି। ଏହା ମାଧ୍ୟମରେ ବନ୍ୟଜନ୍ତୁଙ୍କ ଗତିବିଧି, ଜଙ୍ଗଲ ନିଆଁ ଏବଂ ଶିକାରୀଙ୍କ ବେଆଇନ ପ୍ରବେଶ ଉପରେ ୨୪ ଘଣ୍ଟିଆ ପ୍ରତ୍ୟକ୍ଷ ନଜର ରଖାଯାଇପାରିବ।
ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଚୌରାସୀମାଲଠାରେ ସ୍ଥାପନ କରାଯାଇଥିବା ଏହି ଏଆଇ ସର୍ଭେଲାନ୍ସ ଟାୱାରଟି ୨୦୨୫ ଡିସେମ୍ବରରୁ କାର୍ଯ୍ୟକ୍ଷମ ଅଛି। ଏହା ପ୍ରାୟ ୭୦ ବର୍ଗ କିଲୋମିଟର ପରିମିତ ଅଞ୍ଚଳ ଏବଂ ୫-୬ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ନଜର ରଖିବାରେ ସକ୍ଷମ। ଏଥିରେ ଥିବା ଅପ୍ଟିକାଲ ଏବଂ ଥର୍ମାଲ କ୍ୟାମେରା ଦିନ ଓ ରାତିରେ ବନ୍ୟଜନ୍ତୁ ଏବଂ ମଣିଷଙ୍କ ବେଆଇନ ଅନୁପ୍ରବେଶକୁ ସହଜରେ ଚିହ୍ନଟ କରିପାରୁଛି।
ନେଟୱାର୍କ ବ୍ୟବସ୍ଥା ସୁଦୃଢ଼ ହେବା ପରେ, ୨୦୨୬ ଅକ୍ଟୋବରଠାରୁ ଅଭୟାରଣ୍ୟର ଅତି ଗହନ ଓ ଦୁର୍ଗମ ଅଞ୍ଚଳରେ ୧୮ଟି ସ୍ମାର୍ଟ କ୍ୟାମେରା ଟ୍ରାପ୍ ସ୍ଥାପନ କରାଯାଇଛି। ୱାୟାରଲେସ୍ ନେଟୱାର୍କିଂ ଦ୍ୱାରା ଏଗୁଡ଼ିକ ‘ଜିରୋ ପଏଣ୍ଟ’ସ୍ଥିତ ସେଣ୍ଟ୍ରାଲ କଣ୍ଟ୍ରୋଲ ରୁମ୍ ସହ ସଂଯୋଗ ହୋଇଛି। ଏଆଇ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଏହି କ୍ୟାମେରା ଗୌର (ଗୟଳ), ଚିତାବାଘ, ସମ୍ବର, ହରିଣ, ଭାଲୁ ଏବଂ ନୀଳଗାଈ ଭଳି ବନ୍ୟଜନ୍ତୁଙ୍କୁ ସ୍ୱୟଂଚାଳିତ ଭାବେ ଚିହ୍ନଟ କରି କଣ୍ଟ୍ରୋଲ ରୁମକୁ ସୂଚନା ପଠାଉଛି।
ଏହି ବୈଷୟିକ ଜ୍ଞାନକୌଶଳ ଯୋଗୁଁ ବନକର୍ମଚାରୀମାନଙ୍କୁ କ୍ଷେତ୍ର ପରିଦର୍ଶନ ନକରି ମଧ୍ୟ ବନ୍ୟଜନ୍ତୁଙ୍କ ତଥ୍ୟ ମିଳିପାରୁଛି। ଏହାଦ୍ୱାରା ଶିକାରୀଙ୍କ ବେଆଇନ କାର୍ଯ୍ୟକଳାପ ରୋକିବା, ଜଙ୍ଗଲ ନିଆଁର ପ୍ରାରମ୍ଭିକ ସୂଚନା ପାଇବା ଏବଂ ଥର୍ମାଲ ଇମେଜିଂ ଜରିଆରେ ରାତ୍ରିକାଳୀନ ପାଟ୍ରୋଲିଂ ଅଧିକ ଫଳପ୍ରଦ ହୋଇପାରିବ।
ସୂଚନାଯୋଗ୍ୟ ଯେ, ଡେବ୍ରୀଗଡ଼ ଅଭୟାରଣ୍ୟରେ ବିଗତ ତିନି ବର୍ଷ ଧରି ବାର୍ଷିକ ପ୍ରାୟ ୯୦,୦୦୦ କିଲୋମିଟର ପାଦଚଲା ପାଟ୍ରୋଲିଂ କରାଯାଉଥିଲା। ଏବେ ଏଆଇ ପ୍ରଯୁକ୍ତି ସାମିଲ ହେବା ଦ୍ୱାରା ଅଭୟାରଣ୍ୟର ସୁରକ୍ଷା ଅଧିକ ଅତ୍ୟାଧୁନିକ ଓ ପ୍ରଭାବଶାଳୀ ହୋଇପାରିଛି।




