ଭୁବନେଶ୍ୱର: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ପତ୍ର ଲେଖିଛନ୍ତି। କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ ବିଲ୍ (Delimitation Bill) ବିରୋଧରେ ଏକ ସଂକଳ୍ପ ପାରିତ କରିବା ପାଇଁ ଆଗାମୀ ୪୮ ଘଣ୍ଟା ମଧ୍ୟରେ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ସେ ଅନୁରୋଧ କରିଛନ୍ତି।
ନବୀନଙ୍କ କହିବା ଅନୁଯାୟୀ, ଏହି ବିଲ୍ ଦ୍ୱାରା ଓଡ଼ିଶାର ଲୋକସଭା ଆସନ ସଂଖ୍ୟା ୨୧ରୁ ୨୯କୁ ବୃଦ୍ଧି ପାଇଲେ ମଧ୍ୟ ସମଗ୍ର ଦେଶ ତୁଳନାରେ ଓଡ଼ିଶାର ଭାଗ ୩.୯%ରୁ ୩.୪%କୁ ହ୍ରାସ ପାଇବ।
ଜନସଂଖ୍ୟା ନିୟନ୍ତ୍ରଣ ଓ ବିକାଶ କ୍ଷେତ୍ରରେ ଓଡ଼ିଶା ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ, ଏହି ନୂତନ ନିୟମ ଯୋଗୁଁ ରାଜ୍ୟର ରାଜନୈତିକ ଗୁରୁତ୍ୱ ପ୍ରାୟ ୧୫% ହ୍ରାସ ପାଇବ।
ଏହି ବିଷୟରେ ଚୁପ୍ ରହିବା ଭବିଷ୍ୟତ ପିଢ଼ିଙ୍କ ପ୍ରତି ଏକ ବିଶ୍ୱାସଘାତକତା ହେବ ବୋଲି ସେ ପତ୍ରରେ ଉଲ୍ଲେଖ କରିଛନ୍ତି।
ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଯେ, ଓଡ଼ିଶାର ରାଜନୈତିକ ଅଧିକାର ଯେପରି ସୁରକ୍ଷିତ ରହିବ, ସେଥିପାଇଁ ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ନିଅନ୍ତୁ। ଏହି ପ୍ରସଙ୍ଗରେ ବିଜେଡି ସରକାରଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରିବ ବୋଲି ମଧ୍ୟ ସେ ପ୍ରତିଶ୍ରୁତି ଦେଇଛନ୍ତି।





