ଦେବଗଡ଼: ଓଡ଼ିଶା ହେଉଛି ଏକ କୃଷି ପ୍ରଧାନ ରାଜ୍ୟ। ଏଠାରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସରକାର ଅନେକ ଯୋଜନା ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରୁଛନ୍ତି। ନିର୍ବାଚନ ସମୟରେ ବିଭିନ୍ନ ପ୍ରତିଶ୍ରୁତି ମଧ୍ୟ ଦିଆଯାଉଛି। ମାତ୍ର ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ନିମ୍ନମାନର କାର୍ଯ୍ୟ ଯୋଗୁଁ ଏହି ପ୍ରକଳ୍ପଗୁଡ଼ିକର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦେବଗଡ଼ ଜିଲ୍ଲାରେ ସାମାନ୍ୟ ବର୍ଷାରେ କେନାଲ କାନ୍ଥ ଭାଙ୍ଗିଯିବା ଘଟଣା ଏବେ ସରକାରୀ ଯୋଜନାର ଦୁର୍ନୀତିକୁ ପଦାରେ ପକାଇ ଦେଇଛି।
ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ତୁଙ୍ଗାମାଳ ପଞ୍ଚାୟତର କାଞ୍ଜିଆମ୍ବ ଶିମିଳିକଟା କେନାଲ୍ ଉନ୍ନତୀକରଣ କାମରେ ଏହି ବ୍ୟାପକ ଅନିୟମିତତା ସାମ୍ନାକୁ ଆସିଛି। ଚାଷୀଙ୍କ ଜମିକୁ ଜଳସେଚନ ପାଇଁ ପଞ୍ଚାୟତ ସମିତି ପକ୍ଷରୁ ଏହି କେନାଲ ନିର୍ମାଣ ପାଇଁ ପୂର୍ବରୁ ୮ ଲକ୍ଷ ଟଙ୍କା ଏବଂ ୨୦୨୫-୨୬ ଆର୍ଥିକ ବର୍ଷରେ ଆଉ ୫ ଲକ୍ଷ ଟଙ୍କା (ସମୁଦାୟ ୧୩ ଲକ୍ଷ ଟଙ୍କା) ବ୍ୟୟବରାଦ ହୋଇଥିଲା। ମାତ୍ର ନିର୍ମାଣ କାର୍ଯ୍ୟ ସରିବାର ମାତ୍ର ୭ ଦିନ ନପୂରୁଣୁ ସାମାନ୍ୟ ବର୍ଷାରେ କେନାଲ କାନ୍ଥ ଭାଙ୍ଗି ଖସିପଡ଼ିଛି।
କେବଳ କାମର ମାନ ନୁହେଁ, ବରଂ ନିର୍ମାଣ ପ୍ରକ୍ରିୟାରେ ହୋଇଥିବା ପରିଚାଳନାକୁ ନେଇ ମଧ୍ୟ ଗୁରୁତର ଅଭିଯୋଗ ଆସିଛି। ଅଳ୍ପ କିଛି ମିଟର କାମ ପାଇଁ ୪ଟି ସୂଚନା ଫଳକ ଲଗାଯାଇଛି, ଯାହାମଧ୍ୟରୁ ୨ଟିରେ କୋଡ୍ ନମ୍ବର ସୁଦ୍ଧା ଲେଖାଯାଇନାହିଁ। ଦୁର୍ନୀତିକୁ ଘଣ୍ଟ ଘୋଡ଼ାଇବା ଏବଂ ଲୋକଲୋଚନରୁ ଦୂରେଇ ରଖିବା ପାଇଁ ଏହି ଫଳକଗୁଡ଼ିକୁ ରାସ୍ତା ଆଡ଼କୁ ନରଖି ଜଙ୍ଗଲ ଆଡ଼କୁ ମୁହଁ କରି ଲଗାଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ବ୍ୟୟ ଅଟକଳ ଅନୁଯାୟୀ ସିମେଣ୍ଟ, ବାଲି ଓ ଚିପ୍ସର ସଠିକ୍ ମିଶ୍ରଣ କରିବା ବଦଳରେ ସମ୍ପୂର୍ଣ୍ଣ ନିକୃଷ୍ଟ ମାନର ସାମଗ୍ରୀ ବ୍ୟବହାର କରାଯାଇଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଘଟଣା ନେଇ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ (CDO) ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଏହି ପ୍ରତିଶ୍ରୁତି କେବେ କାର୍ଯ୍ୟକାରୀ ହେଉଛି, ତାହା ଦେଖିବାକୁ ବାକି ରହିଲା।




