ଭୁବନେଶ୍ୱର: ଆଗାମୀ ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଦେଖାଯାଇଥିବା ହିଂସା ଏବଂ ଅଶାନ୍ତିକୁ ଦୃଷ୍ଟିରେ ରଖି ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ବିନୟତୋଷ ମିଶ୍ର ବରିଷ୍ଠ ପୋଲିସ ଅଧିକାରୀମାନଙ୍କୁ କ୍ୟାମ୍ପସରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି।
ଆସନ୍ତା ଅକ୍ଟୋବର ୧୫ ତାରିଖରେ ହେବାକୁଥିବା ଛାତ୍ର ସଂସଦ ନିର୍ବାଚନକୁ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳନା କରିବା ଏବଂ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ରଖିବା ପାଇଁ ଡିଜିପି ଶନିବାର ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ଏସପି, ଡିଆଇଜି ଏବଂ ଆଇଜିଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରି ସମୀକ୍ଷା କରିଛନ୍ତି।
କଡା ପଦକ୍ଷେପ ପାଇଁ ପରାମର୍ଶ
ଘଟଣା ଘଟିବା ପରେ ପ୍ରତିକ୍ରିୟା ଦେବା ବଦଳରେ କ୍ୟାମ୍ପସରେ ହିଂସାକୁ ରୋକିବା ପାଇଁ ପୋଲିସ ପ୍ରଥମରୁ ହିଁ ପ୍ରତିଷେଧକ ମୂଳକ ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି ଡିଜିପି ଗୁରୁତ୍ୱାରୋପ କରିଛନ୍ତି। ସମ୍ବେଦନଶୀଳ କ୍ୟାମ୍ପସ ଏବଂ ଉତ୍ତେଜନାପୂର୍ଣ୍ଣ ସ୍ଥାନଗୁଡ଼ିକ ଉପରେ କଡ଼ା ନଜର ରଖିବାକୁ ଏବଂ କଲେଜ କର୍ତ୍ତୃପକ୍ଷଙ୍କ ସହ ନିୟମିତ ଯୋଗାଯୋଗରେ ରହି ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁସବୁ କଲେଜରେ ନିର୍ବାଚନ ସମୟରେ ହିଂସା କିମ୍ବା ଆଇନଶୃଙ୍ଖଳା ସମସ୍ୟା ଉପୁଜିବାର ଆଶ୍ଚର୍ଯ୍ୟ ରହିଛି, ସେଠାରେ ପର୍ଯ୍ୟାପ୍ତ ପୋଲିସ ଫୋର୍ସ ମୁତୟନ କରାଯିବ।
ଗତ ଗୁରୁବାର ଯାଜପୁର ଜିଲ୍ଲାର ଏକ କଲେଜ କ୍ୟାମ୍ପସ ଭିତରେ ବୋମାବାଜି ହେବା ପରେ ସେଠାରେ ନିର୍ବାଚନ ବାତିଲ କରାଯାଇଥିଲା। ଏହାବ୍ୟତୀତ ନୟାଗଡ଼, ଭଦ୍ରକ, ବାଲେଶ୍ୱର ଏବଂ ଅନୁଗୋଳ ଜିଲ୍ଲାର କେତେକ କଲେଜରେ ମଧ୍ୟ ଛାତ୍ର ଅଶାନ୍ତି ଘଟିଥିବା ସୂଚନା ମିଳିଛି। ତେଣୁ ନିର୍ବାଚନ ପୂର୍ବରୁ ଏବଂ ପରେ କୌଣସି ପ୍ରକାର ହିଂସାକୁ ପ୍ରଶ୍ରୟ ନଦେବା ପାଇଁ ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ସତକ ରହିଛି।




