ଭୁବନେଶ୍ୱର: ଓଡ଼ିଶାର ଖଣି ଓ ଶିଳ୍ପାଞ୍ଚଳ ଦେଇ ଯାଇଥିବା ଜାତୀୟ ଓ ରାଜ୍ୟ ରାଜପଥରେ ବେଆଇନ ଭାବେ ଟ୍ରକ୍‌ ଏବଂ ଭାରୀଯାନ ପାର୍କିଂ ଯୋଗୁଁ ବଢ଼ୁଥିବା ଦୁର୍ଘଟଣାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ସାଂସଦ ଧର୍ମେନ୍ଦ୍ର ପ୍ରଧାନ। ଏହାର ନିୟନ୍ତ୍ରଣ ପାଇଁ କଡ଼ା ପଦକ୍ଷେପ ନେବାକୁ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି। ରାସ୍ତାକଡ଼ରେ କିଲୋମିଟର କିଲୋମିଟର ଧରି ଟ୍ରକ୍‌ ଧାଡ଼ି ହୋଇ ରହୁଥିବାରୁ ଯାତାୟାତ ବାଧାପ୍ରାପ୍ତ ହେବା ସହ ଦୁର୍ଘଟଣାର ଆଶଙ୍କା ବଢ଼ୁଥିବା ସେ ଉଲ୍ଲେଖ କରିଛନ୍ତି।

ଖଣି ଓ ଶିଳ୍ପ ସଂସ୍ଥାର ଲଜିଷ୍ଟିକ୍ସ ବ୍ୟବସ୍ଥା ଉପରେ ପ୍ରଶ୍ନ

ଧର୍ମେନ୍ଦ୍ରଙ୍କ ଅନୁସାରେ, ଖଣି ଓ ଶିଳ୍ପ ସଂସ୍ଥାଗୁଡ଼ିକର ଅପର୍ଯ୍ୟାପ୍ତ ଲଜିଷ୍ଟିକ୍ସ ବ୍ୟବସ୍ଥା ଏବଂ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନର ଅଭାବ ଏହି ସମସ୍ୟାର ପ୍ରମୁଖ କାରଣ। ଖଣିଜ ପରିବହନ କରୁଥିବା ଭାରୀଯାନଗୁଡ଼ିକ ରାଜପଥ ଉପରେ ଅବୈଧ ଭାବେ ଅଟକି ରହିବା ଯୋଗୁଁ ଅନ୍ୟ ଯାନବାହନ ଚଳାଚଳ ଓ ସାଧାରଣ ଲୋକଙ୍କ ସୁରକ୍ଷା ବିପଦରେ ପଡ଼ୁଛି।

ଏହି ସମସ୍ୟାର ସମାଧାନ ପାଇଁ ଖଣି ଓ ଶିଳ୍ପ ସଂସ୍ଥାଗୁଡ଼ିକ ନିଜର ପରିବହନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ସହ ଭାରୀଯାନ ପାଇଁ ପର୍ଯ୍ୟାପ୍ତ ପାର୍କିଂ ସୁବିଧା ଯୋଗାଇବା ଆବଶ୍ୟକ ବୋଲି ସେ ଗୁରୁତ୍ୱ ଦେଇଛନ୍ତି।

କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱ

ବେଆଇନ ପାର୍କିଂ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ଆବଶ୍ୟକ ଆଇନଗତ କ୍ଷମତା ରହିଛି ବୋଲି ଧର୍ମେନ୍ଦ୍ର ଚିଠିରେ ଉଲ୍ଲେଖ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଏବଂ ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣ ଆଇନ, ୨୦୨୫ର ବ୍ୟବସ୍ଥାକୁ ଆଧାର କରି ଦୋଷୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି।

ଏଥିସହ ନିୟମ ଉଲ୍ଲଂଘନ କରୁଥିବା ଡ୍ରାଇଭର, ପରିବହନକାରୀ ଓ ସମ୍ପୃକ୍ତ ଖଣି କମ୍ପାନୀଙ୍କ ଦାୟିତ୍ୱ ନିର୍ଦ୍ଧାରଣ, ଜରିମାନା ଓ ଆଇନ ଅନୁଯାୟୀ ଦଣ୍ଡବିଧାନ ଏବଂ ଜିଲ୍ଲା ସଡ଼କ ସୁରକ୍ଷା ଟାସ୍କଫୋର୍ସ ମାଧ୍ୟମରେ ନିୟମିତ ସମୀକ୍ଷା କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି।

ରାଜ୍ୟର ଖଣି ଓ ଶିଳ୍ପାଞ୍ଚଳରେ ରାସ୍ତା ସୁରକ୍ଷା ସୁନିଶ୍ଚିତ କରିବା ସହ ଦୁର୍ଘଟଣା ହ୍ରାସ ପାଇଁ ସରକାର ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ଧର୍ମେନ୍ଦ୍ର ତାଙ୍କ ଚିଠିରେ ଦାବି କରିଛନ୍ତି।