ଭୁବନେଶ୍ୱର: ଗତକାଲି ବିଳମ୍ବିତ ରାତିରେ ମାର୍କୋଣା ରେଳବାଇ ଷ୍ଟେସନ ନିକଟରେ ଧଉଳି ଏକ୍ସପ୍ରେସର ଏକ ବୋଗିରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ତେବେ ରେଳ କର୍ମଚାରୀଙ୍କ ତୁରନ୍ତ ପଦକ୍ଷେପ ଯୋଗୁଁ ଏକ ବଡ଼ ଧରଣର ଦୁର୍ଘଟଣା ଏଡ଼ାଇ ଯାଇଛି ଏବଂ ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ରେଳବାଇ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରବିବାର ରାତି ପ୍ରାୟ ୧୦:୪୫ ମିନିଟ୍ ସମୟରେ ଟ୍ରେନ୍ ନମ୍ବର ୧୨୮୨୧ ‘ଧାଉଳି ଏକ୍ସପ୍ରେସ୍’ ମାର୍କୋଣା ଷ୍ଟେସନରେ ପହଞ୍ଚିବା ପୂର୍ବରୁ ଏହାର ଏସଏଲଆରଡି (SLRD – Seating-cum-Luggage Rake) କୋଚରୁ ପ୍ରବଳ ଧୂଆଁ ନିର୍ଗତ ହେଉଥିବା ନଜରକୁ ଆସିଥିଲା। ସୁରକ୍ଷା ଦୃଷ୍ଟିରୁ ତୁରନ୍ତ ଟ୍ରେନটিকে ମାର୍କୋଣା ଷ୍ଟେସନରେ ଅଟକାଯାଇଥିଲା।
ରେଳବାଇ ପ୍ରବକ୍ତାଙ୍କ କହିବା ମୁତାବକ “ଧୂଆଁ ଦେଖାଯିବା ପରେ କୋଚ୍ଟିକୁ ସୁରକ୍ଷିତ ଭାବେ ଅଲଗା କରାଯାଇଥିଲା। କୌଣସି ଯାତ୍ରୀ କ୍ଷତିଗ୍ରସ୍ତ ହୋଇନାହାନ୍ତି ଏବଂ ଟ୍ରେନ୍ଟି ସୁରକ୍ଷିତ ଭାବେ ଗନ୍ତବ୍ୟ ସ୍ଥଳ ଅଭିମୁଖେ ବାହାରିଥିଲା।”
ଘଟଣା ସମ୍ପର୍କରେ ଖବର ପାଇବା କ୍ଷଣି ରେଳବାଇର ବୈଷୟିକ ଟିମ୍ ଓ କର୍ମଚାରୀମାନେ ତୁରନ୍ତ ସେଠାରେ ପହଞ୍ଚି ସ୍ଥିତି ଯାଞ୍ଚ କରିଥିଲେ। ସମସ୍ତ ଯାଞ୍ଚ ପରେ ଯାତ୍ରୀଙ୍କ ପାଇଁ କୌଣସି ବିପଦ ନାହିଁ ବୋଲି ସୁନିଶ୍ଚିତ ହେବା ପରେ, ସମସ୍ୟା ସୃଷ୍ଟି କରୁଥିବା SLRD କୋଚ୍ଟିକୁ ଟ୍ରେନ୍ରୁ ଅଲଗା କରାଯାଇଥିଲା। ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ରାତି ୧୧:୫୨ ମିନିଟ୍ରେ ଧାଉଳି ଏକ୍ସପ୍ରେସ୍ ପୁନର୍ବାର ସୁରକ୍ଷିତ ଭାବେ ନିଜର ଯାତ୍ରା ଆରମ୍ଭ କରିଥିଲା।
ଏହି ଅଘଟଣରେ କୌଣସି ଯାତ୍ରୀ କିମ୍ବା ରେଳ କର୍ମଚାରୀ ଆହାତ ହୋଇନାହାନ୍ତି। କୋଚ୍ରୁ କେଉଁ କାରଣରୁ ଧୂଆଁ ନିର୍ଗତ ହେଉଥିଲା, ସେ ନେଇ ରେଳ ପ୍ରଶାସନ ପକ୍ଷରୁ ତଦନ୍ତ ଜାରି ରହିଛି।




