ଢେଙ୍କାନାଳ: ସରକାରଙ୍କ ‘ସୁଭଦ୍ରା ଯୋଜନା’ର ଆର୍ଥିକ ସହାୟତା ଟଙ୍କାକୁ ନେଇ ପାରିବାରିକ କଳହରୁ ଏକ ଭୟଙ୍କର ହତ୍ୟାକାଣ୍ଡ ଘଟିଯାଇଛି। ଟଙ୍କା ନଦେବାରୁ ଜଣେ ମଦ୍ୟପ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କରିବା ପରେ ମୃତଦେହକୁ ଘର ପଛପଟ ଲାଟ୍ରିନ୍‌ ଟାଙ୍କି ଭିତରେ ଲୁଚାଇ ରଖିଥିବା ଅଭିଯୋଗ ହୋଇଛି। ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଇନ୍ଦିପୁର ଜୁଆଙ୍ଗ ସାହିରେ ଘଟିଥିବା ଏହି ଅଭାବନୀୟ ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସ୍ଥାନୀୟ ସୂଚନା ଓ ଅଭିଯୋଗ ଅନୁସାରେ, ସୁଭଦ୍ରା ଯୋଜନାରେ ମିଳିଥିବା ଟଙ୍କାକୁ ନେଇ ଅଭିଯୁକ୍ତ ସ୍ୱାମୀ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଥିଲା। ସ୍ୱାମୀ ମଦ୍ୟପ ସାଜି ସ୍ତ୍ରୀଙ୍କୁ ସୁଭଦ୍ରା ଯୋଜନାର ଟଙ୍କା ମାଗିଥିଲେ। କିନ୍ତୁ ସ୍ତ୍ରୀ ଟଙ୍କା ଦେବାକୁ ସୀଧାସଳଖ ମନା କରିଦେବାରୁ ଉଭୟଙ୍କ ମଧ୍ୟରେ ବିବାଦ ଉଗ୍ରରୂପ ନେଇଥିଲା। ବୋଝେଇ ମଦ ପିଇଥିବା ସ୍ୱାମୀ ରାଗିଯାଇ ସ୍ତ୍ରୀଙ୍କୁ ନିର୍ମମ ଭାବେ ମାଡ଼ ମାରିଥିଲେ। ବେଧଡ଼କ ମାଡ଼ ଯୋଗୁଁ ଘଟଣାସ୍ଥଳରେ ହିଁ ସ୍ତ୍ରୀଙ୍କ ଜୀବନ ଚାଲିଯାଇଥିଲା।

ହତ୍ୟାକାଣ୍ଡ ପରେ ଅପରାଧକୁ ଲୁଚାଇବା ପାଇଁ ଅଭିଯୁକ୍ତ ସ୍ୱାମୀ ମୃତଦେହକୁ ଘର ପଛପଟେ ଥିବା ଲାଟ୍ରିନ୍‌ ଟାଙ୍କି ଭିତରେ ଫିଙ୍ଗି ଦେଇ ଲୁଚାଇ ରଖିଥିଲା। ତେବେ ଘଟଣା ବାବଦରେ ଖବର ପାଇବା ପରେ ଢେଙ୍କାନାଳ ସଦର ଥାନା ପୁଲିସ ତୁରନ୍ତ ସନ୍ଦିଗ୍ଧ ସ୍ଥାନରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପୁଲିସ ଲାଟ୍ରିନ୍‌ ଟାଙ୍କି ଭିତରୁ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ସିନ୍‌ ରିକ୍ରିଏସନ୍ କଲା ପୁଲିସ:

ପୁଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିବା ସହ ଘଟଣାସ୍ଥଳକୁ ନେଇ ସିନ୍‌ ରିକ୍ରିଏସନ୍ କରାଇଛି। ସ୍ୱାମୀ କିପରି ସ୍ତ୍ରୀଙ୍କୁ ହତ୍ୟା କଲେ ଏବଂ ମୃତଦେହକୁ ଟାଙ୍କି ଭିତରେ ଲୁଚାଇଲେ, ସେ ନେଇ ପୁଲିସ ଅଭିଯୁକ୍ତଠାରୁ ବିସ୍ତୃତ ତଥ୍ୟ ସଂଗ୍ରହ କରିଛି। ହତ୍ୟାର ସମ୍ପୂର୍ଣ୍ଣ ପୃଷ୍ଠଭୂମି ଏବଂ ଅନ୍ୟ କୌଣସି କାରଣ ରହିଛି କି ନାହିଁ, ସେ ନେଇ ପୁଲିସର ଛାନଭିନ୍ ଜାରି ରହିଛି।