ଭୁବନେଶ୍ୱର: ଦେଶର ସୁନାମଧନ୍ୟ ନ୍ୟୁରୋସର୍ଜନ୍ ତଥା ପଦ୍ମଶ୍ରୀ ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ରଙ୍କ ସୋମବାର ରାତିରେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁରେ ସମଗ୍ର ଓଡ଼ିଶା ତଥା ଚିକିତ୍ସା ଜଗତରେ ଶୋକର ଛାୟା ଖେଳିଯାଇଛି।
ସୂଚନା ଅନୁଯାୟୀ, ଡାକ୍ତର ମହାପାତ୍ରଙ୍କ ମର୍ତ୍ତ୍ୟଶରୀରକୁ ମଙ୍ଗଳବାର ବିମାନ ଯୋଗେ ଦିଲ୍ଲୀରୁ ଭୁବନେଶ୍ୱର ଆଣିବାର ବ୍ୟବସ୍ଥା କରାଯାଇଛି। ଓଡ଼ିଶା ସରକାରଙ୍କ ତରଫରୁ ତାଙ୍କୁ ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯିବା ପରେ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ କରାଯିବ।
ଡାକ୍ତର ମହାପାତ୍ର ବ୍ରେନ୍ ଟ୍ୟୁମର୍ରେ ପୀଡ଼ିତ ଥିଲେ। ଅବସ୍ଥା ଗୁରୁତର ହେବାରୁ ଗତ ସେପ୍ଟେମ୍ବର ୨୭ ରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା ଏବଂ ଅକ୍ଟୋବର ୫ ରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା। ସୋମବାର ରାତି ୯:୧୫ ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ୨୦୧୭ ମସିହାରେ ଦିଲ୍ଲୀ ଏମ୍ସରେ ଓଡ଼ିଶାର ଯୋଡ଼ା ମୁଣ୍ଡ ଶିଶୁ ‘ଜଗା-ବଳିଆ’ଙ୍କ ସଫଳ ଅସ୍ତ୍ରୋପଚାର କରି ସେ ସାରା ଦେଶରେ ଖ୍ୟାତି ଅର୍ଜନ କରିଥିଲେ।
ସେ ଏମ୍ସ ଭୁବନେଶ୍ୱରର ପ୍ରତିଷ୍ଠାତା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ରାଜ୍ୟରେ ଉନ୍ନତ ସ୍ୱାସ୍ଥ୍ୟସେବାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।
ମାନବସେବା ଏବଂ ଚିକିତ୍ସା ବିଜ୍ଞାନରେ ଅତୁଲନୀୟ ଯୋଗଦାନ ପାଇଁ ଭାରତ ସରକାର ୨୦୨୪ ମସିହାରେ ତାଙ୍କୁ ଦେଶର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ‘ପଦ୍ମଶ୍ରୀ’ରେ ଭୂଷିତ କରିଥିଲେ।




