ଭୁବନେଶ୍ୱର: ଓଡ଼ିଶା ଉପକୂଳରେ ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭେଲପମେଣ୍ଟ ଅର୍ଗାନାଇଜେସନ (DRDO) ପକ୍ଷରୁ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଦୂରଗାମୀ ଭୂପୃଷ୍ଠ ଆକ୍ରମଣକାରୀ କ୍ରୁଜ୍ ମିସାଇଲ୍ (LRLACM) ର ସଫଳ ଉଡ଼ାନ ପରୀକ୍ଷଣ କରାଯାଇଛି। ଏହି ଗୌରବମୟ ସଫଳତା ପାଇଁ ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ DRDO କୁ ଆନ୍ତରିକ ଅଭିନନ୍ଦନ ଜଣାଇଛନ୍ତି।
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (X) ରେ ଏକ ପୋଷ୍ଟ କରି ଶ୍ରୀ ପଟ୍ଟନାୟକ କହିଛନ୍ତି, “ଓଡ଼ିଶା ଉପକୂଳରେ ଅବସ୍ଥିତ ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଦୂରଗାମୀ ଭୂପୃଷ୍ଠ ଆକ୍ରମଣକାରୀ କ୍ରୁଜ୍ ମିସାଇଲ୍ (LRLACM) ର ସଫଳ ଉଡ଼ାନ ପରୀକ୍ଷଣ ପାଇଁ DRDO କୁ ଅଭିନନ୍ଦନ।”
ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତକାଲି (ସୋମବାର) କରାଯାଇଥିବା ଏହି ପରୀକ୍ଷଣରେ ମିସାଇଲ୍ଟି ତାର ସମସ୍ତ ସାମରିକ ଲକ୍ଷ୍ୟ ହାସଲ କରିଛି। ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ (ITR) ଦ୍ୱାରା ନିୟୋଜିତ ବିଭିନ୍ନ ଟ୍ରାକିଂ ଏବଂ ମନିଟରିଂ ସିଷ୍ଟମରୁ ମିଳିଥିବା ତଥ୍ୟ ମିସାଇଲ୍ର ଏହି ସଫଳ ପ୍ରଦର୍ଶନକୁ ନିଶ୍ଚିତ କରିଛି। ଏହି ମିସାଇଲ୍ର ସମସ୍ତ ସବ୍-ସିଷ୍ଟମକୁ ବିଭିନ୍ନ DRDO ଲାବୋରେଟୋରୀ ଏବଂ ଭାରତୀୟ ଶିଳ୍ପ ଅଂଶୀଦାରମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି।
ଏହି ସଫଳତା ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ DRDO ର ବୈଜ୍ଞାନିକ, ଇଞ୍ଜିନିୟର ଏବଂ ଶିଳ୍ପ ଅଂଶୀଦାରମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭାରତର ପ୍ରତିରକ୍ଷା ଗବେଷଣା କ୍ଷେତ୍ର ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଦେଶର ସ୍ୱାବଲମ୍ବୀ ତଥା ‘ଆତ୍ମନିର୍ଭର ଭାରତ’ ଅଭିଯାନକୁ ଏହା ଅଧିକ ସୁଦୃଢ଼ କରିବ ବୋଲି ସେ ପ୍ରକାଶ କରିଛନ୍ତି। ବିଶେଷ କରି ସେନା, ବାୟୁସେନା ଏବଂ ନୌସେନାର ଶକ୍ତି ବୃଦ୍ଧିରେ ଏହି ମିସାଇଲ୍ ସହାୟକ ହେବ।




