ଭୁବନେଶ୍ୱର: ପାର୍ବଣ any ଋତୁ ଆସିଲେ ଓଡ଼ିଶାବାସୀଙ୍କ ମନରେ ବାତ୍ୟା ଭୟ ଉଜ୍ଜୀବିତ ହୋଇଉଠେ। ଆସନ୍ତା ଅକ୍ଟୋବର ମାସରେ ବଙ୍ଗୋପସାଗରରେ ଏକ ନୂଆ ପାଣିପାଗ ନିୟାମକ ସୃଷ୍ଟି ହେବାକୁ ଯାଉଥିବାରୁ ପୁଣି ସୃଷ୍ଟି ହୋଇଛି ବାତ୍ୟା ଆଶଙ୍କା। ଭାରତୀୟ ପାଣିପାଗ ବିଜ୍ଞାନ ସଂସ୍ଥା (IMD) ଏପର୍ଯ୍ୟନ୍ତ କୌଣସି ପ୍ରତ୍ୟକ୍ଷ ବାତ୍ୟା ସୂଚନା ନଦେଇଥିଲେ ହେଁ, ଆମେରିକୀୟ (GFS) ଏବଂ ୟୁରୋପୀୟ (ECMWF) ପାଣିପାଗ ମଡେଲ୍ ଅକ୍ଟୋବର ମାସରେ ସମ୍ଭାବ୍ୟ ବାତ୍ୟା ନେଇ ଆକଳନ କରିଛନ୍ତି।
ସମ୍ଭାବ୍ୟ ଆକଳନ ଅନୁଯାୟୀ, ଆସନ୍ତା ୧୨ ଅକ୍ଟୋବର ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ପ୍ରବେଶ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୩ ଅକ୍ଟୋବର ସୁଦ୍ଧା ସେହି ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ପରବର୍ତ୍ତୀ ସମୟରେ, ୧୫ ଅକ୍ଟୋବର ବେଳକୁ ଏହା ଦକ୍ଷିଣ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ରୂପ ନେଇ ଅଧିକ ଘନୀଭୂତ ହେବା ନେଇ ମଡେଲଗୁଡ଼ିକ ସୂଚାଇଛନ୍ତି।
ଗ୍ଲୋବାଲ୍ ପାଣିପାଗ ମଡେଲଗୁଡ଼ିକର ଆକଳନ ଅନୁସାରେ, ଏହି ସୃଷ୍ଟ ସିଷ୍ଟମ୍ ଅଧିକ ଶକ୍ତିଶାଳୀ ହୋଇ ଦଶହରା ସମୟରେ ଓଡ଼ିଶା କିମ୍ବା ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁ ହୋଇପାରେ। ତେବେ ପାଣିପାଗ ବିଶେଷଜ୍ଞଙ୍କ ମତରେ, ବର୍ତ୍ତମାନ ଏହା ପ୍ରାରମ୍ଭିକ ଆକଳନ ସ୍ତରରେ ରହିଛି। ସିଷ୍ଟମ୍ ସୃଷ୍ଟି ହେବା ପରେ ଗତିପଥ ଓ ତୀବ୍ରତା ସମ୍ପର୍କରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ।
ଅକ୍ଟୋବର ମାସର ପୁରୁଣା ତିକ୍ତ ଅନୁଭୂତି
ଓଡ଼ିଶା ପାଇଁ ଅକ୍ଟୋବର ମାସ ସଦାସର୍ବଦା ସଂବେଦନଶୀଳ। ଅତୀତର କିଛି ପ୍ରଳୟଙ୍କରୀ ବାତ୍ୟା ଅକ୍ଟୋବର ମାସରେ ହିଁ ଓଡ଼ିଶାରେ ତାଣ୍ଡବ ରଚିଥିଲେ:
- ୧୯୯୯ ଅକ୍ଟୋବର ୨୯: ମହାବାତ୍ୟା (Super Cyclone) ରାଜ୍ୟରେ ଅକଳନୀୟ କ୍ଷୟକ୍ଷତି କରିଥିଲା।
- ୨୦୧୩ ଅକ୍ଟୋବର ୧୧: ବାତ୍ୟା ‘ଫାଇଲିନ୍’ (Phailin) ଗଞ୍ଜାମ ଉପକୂଳରେ ମାଡ଼ ହୋଇଥିଲା।
- ୨୦୧୪ ଅକ୍ଟୋବର ୧୨: ବାତ୍ୟା ‘ହୁଡୁହୁଡ୍’ (Hudhud) ଦକ୍ଷିଣ ଓଡ଼ିଶାରେ ବ୍ୟାପକ ପ୍ରଭାବ ପକାଇଥିଲା।
- ୨୦୧୮ ଅକ୍ଟୋବର ୧୦: ବାତ୍ୟା ‘ତିତିଲି’ (Titli) ରୂପ ନେଇ ଉପକୂଳରେ ଭୟଙ୍କର ସ୍ଥିତି ସୃଷ୍ଟି କରିଥିଲା।
ସମ୍ଭାବ୍ୟ ଲଘୁଚାପ କାରଣରୁ ଦଶହରା ଭଳି ବଡ଼ ପର୍ବ ସମୟରେ ବର୍ଷା ଓ ସମ୍ଭାବ୍ୟ ବାତ୍ୟା ସୃଷ୍ଟିର ଆକଳନ ଓଡ଼ିଶାବାସୀଙ୍କ ମନରେ ନୂଆ ଆଶଙ୍କା ସୃଷ୍ଟି କରିଛି।




