ବାରିପଦା: ୭୦ କୋଟିରୁ ଅଧିକ ଟଙ୍କାର ଆର୍ଥିକ ଆପରାଧିକ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ବୁଧବାର ଓଡ଼ିଶାରେ ଏକ ବଡ଼ ଧରଣର ଚଢ଼ାଉ କରିଛି। କୋଲକାତାସ୍ଥିତ ଏକ ଟ୍ରେଡିଂ କମ୍ପାନୀର ଓଡ଼ିଶା କାର୍ଯ୍ୟାଳୟ ପରିଚାଳନା କରୁଥିବା ସନ୍ଦିଗ୍ଧ ବ୍ୟକ୍ତି ଈଶ୍ୱର ବିନ୍ଧାଣୀଙ୍କ ମୟୂରଭଞ୍ଜସ୍ଥିତ ବାସଭବନରେ ଏଡି ଟିମ୍ ସକାଳୁ ଚଢ଼ାଉ ଜାରି ରଖିଛି।

ଏଡିର ଏକ ୩ ଜଣିଆ ଟିମ୍ ସହ ଦୁଇ ଜଣ ବ୍ୟାଙ୍କ ଅଧିକାରୀ ଏବଂ ସ୍ଥାନୀୟ ପୁଲିସ କର୍ମଚାରୀ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ବିଷୋଳ ଗ୍ରାମରେ ଥିବା ଈଶ୍ୱର ବିନ୍ଧାଣୀଙ୍କ ଘରେ ପହଞ୍ଚି ଅପରେସନ୍ ଆରମ୍ଭ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ଈଶ୍ୱର ବିନ୍ଧାଣୀ କୋଲକାତାର ଏକ ଟ୍ରେଡିଂ କମ୍ପାନୀ ନାଁରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପ୍ରଚୁର ଟଙ୍କା ଆଦାୟ କରିଥିଲେ।

ମୟୂରଭଞ୍ଜ, କଟକ, ଭୁବନେଶ୍ୱର ଏବଂ ଜଗତସିଂହପୁର ସମେତ ରାଜ୍ୟର ଅନେକ ଅଞ୍ଚଳରୁ ନିବେଶକଙ୍କୁ ଅଧିକ ଲାଭର ପ୍ରଲୋଭନ ଦେଖାଇ ୭୦ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରାଯାଇଥିବା ସନ୍ଦେହ କରାଯାଉଛି।

ଆର୍ଥିକ ଠକେଇ ନେଇ ବିଭିନ୍ନ ଥାନାରେ ଏକାଧିକ ଅଭିଯୋଗ ହେବା ପରେ ଏଡି ଏହି ମାମଲାର ତଦନ୍ତ ଭାର ହାତକୁ ନେଇଥିଲା।

ଚଢ଼ାଉ ସମୟରେ ବ୍ୟାଙ୍କ ଆକାଉଣ୍ଟ, ଜମିଜମା କାଗଜପତ୍ର ଏବଂ ନେଣଦେଣ ସମ୍ପର୍କିତ ବହୁ ଗୁରୁତ୍ୱପୂର୍ଣ୍ଣ ନଥିପତ୍ର ଯାଞ୍ଚ କରାଯାଉଛି। ଏହି ଠକେଇ ସାମ୍ରାଜ୍ୟ ପଛରେ ଅନ୍ୟ କାହାର ହାତ ରହିଛି ଏବଂ ସଂଗୃହିତ ଟଙ୍କା କେଉଁଆଡ଼େ ପଠାଯାଇଛି, ସେ ନେଇ ଏଡି ଅଧିକାରୀମାନେ ଛାନ୍‌ଭିନ୍ ଚଲାଉଛନ୍ତି।

ସମ୍ପ୍ରତି ଘଟଣାସ୍ଥଳରେ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି ଏବଂ ତଦନ୍ତ ଶେଷ ହେବା ପରେ ଏଡି ପକ୍ଷରୁ ଅଧିକ ସୂଚନା ଦିଆଯିବ।