ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ରଣକୋଠା ସଂରକ୍ଷିତ ଜଙ୍ଗଲ ଅଞ୍ଚଳରୁ ଅତ୍ୟନ୍ତ ଦୁର୍ଲଭ ଘଟଣାକ୍ରମେ ୫ଟି ଓରାଙ୍ଗଓଟାନ୍ ଙ୍କୁ ଉଦ୍ଧାର କରାଯାଇଛି। ସାଧାରଣତଃ ଭାରତୀୟ ଜଙ୍ଗଲରେ ଏହି ପ୍ରଜାତିର ଜୀବ ଦେଖାଯାଉ ନ ଥିବାରୁ, ବନ ବିଭାଗ ଏହି ଘଟଣାକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ଉଦୟପୁର ବନଖଣ୍ଡର ଏକ ପାଟ୍ରୋଲିଂ ଟିମ୍ ବଡ଼ପାହୀ ନିକଟରେ ଚଢ଼ଉ/ଗସ୍ତ କରୁଥିବା ସମୟରେ ଏହି ୫ଟି ଓରାଙ୍ଗଓଟାନ୍‌ଙ୍କୁ ପ୍ରଥମେ ଦେଖିବାକୁ ପାଇଥିଲେ। ତୁରନ୍ତ ଏ ନେଇ ବରିଷ୍ଠ ବନ ଆଧିକାରୀଙ୍କୁ ସୂଚନା ଦିଆଯାଇଥିଲା। ଘଟଣାସ୍ଥଳରେ ଏକ ବିଶେଷଜ୍ଞ ଟିମ୍ ପହଞ୍ଚି ସମସ୍ତ ୫ଟି ଓରାଙ୍ଗଓଟାନ୍‌ଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ସେମାନଙ୍କର ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସ୍ଥାନୀୟ ମେଡିକାଲକୁ ନିଆଯାଇଛି।

ଓରାଙ୍ଗଓଟାନ୍‌ଗୁଡ଼ିକ ଭାରତୀୟ ଜଙ୍ଗଲର ମୂଳ ନିବାସୀ ନୁହଁନ୍ତି। ତେଣୁ ବାଲେଶ୍ୱର ରଣକୋଠା ଜଙ୍ଗଲକୁ ଏମାନେ କିପରି ଏବଂ କେଉଁଠାରୁ ଆସିଲେ, ସେ ନେଇ ବନ ବିଭାଗ ଛାନ୍‌ଭିନ୍ ଆରମ୍ଭ କରିଛି। କୌଣସି ବେଆଇନ ଚାଲାଣ କିମ୍ବା ବନ୍ୟଜନ୍ତୁ କାରବାର ସହ ଏହାର ସମ୍ପୃକ୍ତି ଅଛି କି ନାହିଁ, ସେ ନେଇ ମଧ୍ୟ ତଦନ୍ତ କରାଯାଉଛି।

ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (PCCF) ପ୍ରେମ ଝା ଏହି ୫ଟି ଓରାଙ୍ଗଓଟାନ୍ ଉଦ୍ଧାର ହେବା ନେଇ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ସେମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଅନୁଧ୍ୟାନ କରାଯାଉଛି ଏବଂ ସେମାନଙ୍କ ଉତ୍ପତ୍ତି ଓ ଜଙ୍ଗଲକୁ ଆସିବାର କାରଣ ଖୋଜିବାକୁ ଏକ ବିସ୍ତୃତ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ଏହି ଦୁର୍ଲଭ ଜୀବଗୁଡ଼ିକୁ ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ରଖିବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରାଯାଉଛି।