କଟକ: ମହାନଦୀରେ ବନ୍ୟାଜଳର ପ୍ରବାହ ଧୀରେ ଧୀରେ କମୁଥିଲେ ମଧ୍ୟ ନଦୀର ସ୍ରୋତ ଏପର୍ଯ୍ୟନ୍ତ ବିପଦଜନକ ରହିଥିବାରୁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗାମୀ ୪୮ ଘଣ୍ଟା ପାଇଁ ହାଇଆଲର୍ଟ ଜାରି କରାଯାଇଛି। ସାଧାରଣ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମହାନଦୀ ଓ ଏହାର ଶାଖାନଦୀଗୁଡ଼ିକର ସମସ୍ତ ନଦୀଘାଟ, ବାଲିଯାତ୍ରା ତଳ ପଡ଼ିଆ ଏବଂ ବ୍ୟାରେଜ୍ ଅଞ୍ଚଳକୁ ପ୍ରବେଶ ଉପରେ କଡ଼ା କଟକଣା ଲାଗୁ କରାଯାଇଛି।
ଜିଲ୍ଲା ପ୍ରଶାସନର ସୂଚନା ଅନୁସାରେ, ମୁଣ୍ଡଳୀଠାରେ ପ୍ରତି ତିନି ଘଣ୍ଟାରେ ପ୍ରାୟ ୧୦ ହଜାର କ୍ୟୁସେକ୍ ଜଳପ୍ରବାହ କମୁଥିଲେ ମଧ୍ୟ ସ୍ରୋତ ଅତ୍ୟନ୍ତ ପ୍ରବଳ ରହିଛି। ଅନ୍ୟପଟେ ହୀରାକୁଦ ଜଳଭଣ୍ଡାରର ୨୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଥିବାରୁ ଆସନ୍ତା ଦୁଇ ଦିନ ମଧ୍ୟରେ ମୁଣ୍ଡଳୀରେ ଜଳପ୍ରବାହ ସ୍ଥିର ରହିବା କିମ୍ବା ସାମାନ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି।
ଏହି ପରିସ୍ଥିତିକୁ ନେଇ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ବନ୍ୟା ଆଶ୍ରୟସ୍ଥଳୀରେ ରହୁଥିବା ବିପନ୍ନଙ୍କୁ ଆବଶ୍ୟକ ଖାଦ୍ୟ ଓ ସହାୟତା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଉପଜିଲ୍ଲାପାଳ, ବିଡିଓ, ତହସିଲଦାର ଏବଂ କଟକ ମହାନଗର ନିଗମର ଅଧିକାରୀମାନଙ୍କୁ ପରିସ୍ଥିତି ଉପରେ ନିରନ୍ତର ନଜର ରଖିବାକୁ କୁହାଯାଇଛି।
ବିପଦପ୍ରବଣ ଅଞ୍ଚଳରେ ମାଇକ୍ ଯୋଗେ ସଚେତନତା ପ୍ରଚାର କରାଯାଉଥିବା ବେଳେ ନଦୀରେ ଗାଧୋଇବା, ପହଁରିବା, ଡଙ୍ଗା ଚଳାଚଳ, ସେଲ୍ଫି ନେବା କିମ୍ବା ଜଳଧାର ନିକଟକୁ ଯିବା ଉପରେ ସମ୍ପୂର୍ଣ୍ଣ କଟକଣା ଲାଗୁ କରାଯାଇଛି। ଜିଲ୍ଲାର ସମସ୍ତ ବ୍ୟାରେଜ୍, ବ୍ରିଜ୍ ଓ ନଦୀବନ୍ଧ ଉପରେ ଠିଆ ହୋଇ ବନ୍ୟାଜଳ ଦେଖିବା କିମ୍ବା ଭିଡିଓ ଓ ସେଲ୍ଫି ନେବାକୁ ମଧ୍ୟ ପ୍ରଶାସନ ବାରଣ କରିଛି।
ସେହିପରି ବାଲିଯାତ୍ରା ତଳ ପଡ଼ିଆରେ ସାଧାରଣ ଲୋକଙ୍କ ଯାତାୟାତ, ଭିଡ଼ ଏବଂ ସମାବେଶ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। କେବଳ ବନ୍ୟା ପରିଚାଳନା ଏବଂ ଜରୁରିକାଳୀନ ସେବା ସହ ସମ୍ପୃକ୍ତ ଅଧିକାରୀମାନଙ୍କୁ ଏହି ଅଞ୍ଚଳକୁ ପ୍ରବେଶର ଅନୁମତି ଦିଆଯିବ।
ମହାନଦୀ ଓ ଏହାର ଶାଖାନଦୀଗୁଡ଼ିକରେ ମାଛଧରା କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଥିବା ବେଳେ ମତ୍ସ୍ୟଜୀବୀମାନଙ୍କୁ ନଦୀକୁ ନ ଯିବାକୁ କଡ଼ା ଚେତାବନୀ ଦିଆଯାଇଛି। ଯେଉଁ ସଡ଼କ, ପୋଲ କିମ୍ବା କଲଭର୍ଟ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି, ସେଠାରେ ଯାନବାହନ ଓ ପଦଚାରୀଙ୍କ ଚଳାଚଳ ଉପରେ ମଧ୍ୟ ସମ୍ପୂର୍ଣ୍ଣ କଟକଣା ବଳବତ୍ତର ରହିବ।
‘ଶୂନ୍ୟ ଜୀବନହାନୀ’ ଲକ୍ଷ୍ୟକୁ ସାମ୍ନାରେ ରଖି ଜିଲ୍ଲା ପ୍ରଶାସନ କାର୍ଯ୍ୟ କରୁଥିବା ବେଳେ ଏହି ନିର୍ଦ୍ଦେଶ ଅମାନ୍ୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କଡ଼ା ପଦକ୍ଷେପ ଗ୍ରହଣ କରାଯିବ ବୋଲି ସତର୍କ କରାଯାଇଛି।




