ଢେଙ୍କାନାଳ: ଢେଙ୍କାନାଳ ସହରରେ ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଚାକିରିରୁ ବହିଷ୍କାର ହେବା ପରେ ପୁନଃ ନିଯୁକ୍ତି ଦାବି କରି ଜଣେ ପୂର୍ବତନ ଓଡ଼ିଶା ସ୍ପେଶାଲ ଆର୍ମଡ୍ ପୋଲିସ (OSAP) କନଷ୍ଟେବଳ ଟାଉନ ଥାନା ସମ୍ମୁଖରେ ଥିବା ଏକ ମୋବାଇଲ ଟାୱାର ଉପରକୁ ଚଢ଼ି ଆତ୍ମହତ୍ୟା ଧମକ ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଯୁବକ ଜଣକ ହେଉଛନ୍ତି କାମାକ୍ଷାନଗର ଥାନା ଅନ୍ତର୍ଗତ ସୋଗର ଗ୍ରାମର ରୁଦ୍ର ନାରାୟଣ ଦାସ। ରୁଦ୍ର ୨୦୧୮ ମସିହାରେ OSAP ରେ କନଷ୍ଟେବଳ ଭାବେ ନିଯୁକ୍ତି ପାଇଥିଲେ। ତେବେ ତାଲିମ ସମୟରେ ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଡାକ୍ତରୀ ବିଶ୍ରାମରେ ପଠାଯାଇଥିଲା। ସେ ସୁସ୍ଥ ହୋଇ ଫେରିବା ପରେ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ସେ ଅଭିଯୋଗ କରିଛନ୍ତି।

ଚାକିରି ଫେରି ପାଇବା ପାଇଁ ରୁଦ୍ର ଦୀର୍ଘ ଦିନ ହେବ ଜିଲ୍ଲା ପ୍ରଶାସନ, ବିଭାଗୀୟ କର୍ତ୍ତୃପକ୍ଷ ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡ଼ିଛନ୍ତି। ଏପରିକି ସେ ଢେଙ୍କାନାଳରୁ ଭୁବନେଶ୍ୱର ପର୍ଯ୍ୟନ୍ତ ପଦଯାତ୍ରା ମଧ୍ୟ କରିଥିଲେ। କୋର୍ଟର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଅର୍ଥ ଅଭାବରୁ ମାମଲାକୁ ଆଗକୁ ବଢ଼ାଇ ପାରିନଥିଲେ। ପରିବାରର ସେ ଏକମାତ୍ର ଶିକ୍ଷିତ ପୁଅ ହୋଇଥିବା ବେଳେ ତାଙ୍କ ମା’ ଅସୁସ୍ଥ ଅଛନ୍ତି, ମାତ୍ର ଚିକିତ୍ସା ପାଇଁ ପାଖରେ ସମ୍ବଳ ନାହିଁ।

ନ୍ୟାୟ ନପାଇବାରୁ ହତାଶ ହୋଇ ରୁଦ୍ର ପୂର୍ବରୁ ରାଷ୍ଟ୍ରପତି, ରାଜ୍ୟପାଳ, ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଇଚ୍ଛା ମୃତ୍ୟୁ (Euthanasia) ପାଇଁ ଅନୁମତି ମାଗିଥିଲେ। ଆଜି କୌଣସି ଉପାୟ ନପାଇ ସେ ମୋବାଇଲ ଟାୱାର ଉପରକୁ ଚଢ଼ିଯାଇଛନ୍ତି।

ଖବର ପାଇ ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ରୁଦ୍ରଙ୍କୁ ବୁଝାସୁଝା କରି ତଳକୁ ଓହ୍ଲାଇବା ପାଇଁ ଚେଷ୍ଟା ଜାରି ରହିଛି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ସେ ଟାୱାର ଉପରେ ହିଁ ଅଛନ୍ତି, ଯାହାଫଳରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।