ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳ ୨.୦ (PMAY-U 2.0) ଅଧୀନରେ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାରେ ଓଡ଼ିଶା ଦେଶର ସମସ୍ତ ରାଜ୍ୟ ମଧ୍ୟରେ ଶୀର୍ଷ ସ୍ଥାନ ହାସଲ କରିଛି। ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଶୁକ୍ରବାର ଏହି ସୂଚନା ଦିଆଯାଇଛି। ସରକାରୀ ତଥ୍ୟ ଅନୁଯାୟୀ, ମାର୍ଚ୍ଚ ୨୦୨୫ରୁ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଓଡ଼ିଶା କ୍ରମାଗତ ଭାବେ ଏହି ସଫଳତା ବଜାୟ ରଖିଛି।

ସେପ୍ଟେମ୍ବର ୨୦୨୪ରେ ଯୋଜନା ଆରମ୍ଭ ହେବା ପରଠାରୁ ଓଡ଼ିଶାରେ ମୋଟ ୨୪,୬୨୫ଟି ଘର ମଞ୍ଜୁର ହୋଇଛି।ଏଥିମଧ୍ୟରୁ ୨୩,୪୬୪ଟି ପ୍ରସ୍ତାବିତ ସ୍ଥାନର ଜିଓ-ଟ୍ୟାଗିଂ କାର୍ଯ୍ୟ ଶେଷ ହୋଇଛି।୫ ମଇ ୨୦୨୬ ସୁଦ୍ଧା ୨,୦୦୮ଟି ଘର ସମ୍ପୂର୍ଣ୍ଣ ହୋଇଥିବା ବେଳେ ୩,୧୩୪ଟି ୟୁନିଟ୍‌ର ଭିତ୍ତିପ୍ରସ୍ତର କାର୍ଯ୍ୟ ଚାଲିଛି। ବାକି ଘରଗୁଡ଼ିକ ନିର୍ମାଣର ବିଭିନ୍ନ ପର୍ଯ୍ୟାୟରେ ରହିଛି।

ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ନିର୍ମାଣ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବାକୁ ଏବଂ ନିର୍ଦ୍ଧାରିତ ସମୟ ପୂର୍ବରୁ ବାକି ଲକ୍ଷ୍ୟ ପୂରଣ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗୁଣାତ୍ମକ ମାନ ବଜାୟ ରଖିବା ସହ ଯୋଗ୍ୟ ସହରାଞ୍ଚଳ ଗରିବ ପରିବାରକୁ ଶୀଘ୍ର ସେମାନଙ୍କ ଘର ହସ୍ତାନ୍ତର କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ULB), କ୍ଷେତ୍ରସ୍ତରୀୟ କାର୍ଯ୍ୟକାରୀ ଏଜେନ୍ସି ଏବଂ ରାଜ୍ୟ ପ୍ରଶାସନ ମଧ୍ୟରେ ଉତ୍ତମ ସମନ୍ୱୟ ଯୋଗୁଁ ଏହି ସଫଳତା ସମ୍ଭବ ହୋଇଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ସରକାରଙ୍କ “ସମସ୍ତଙ୍କ ପାଇଁ ଗୃହ” ସଂକଳ୍ପକୁ ପୂରଣ କରିବାରେ ଏହି ପ୍ରଦର୍ଶନ ଏକ ମାଇଲଖୁଣ୍ଟ ସଦୃଶ ହୋଇଛି।