ଭୁବନେଶ୍ୱର: ଇସ୍କନ (ISKCON) ପକ୍ଷରୁ ପାରମ୍ପରିକ ତିଥି ବାହାରେ ସ୍ନାନଯାତ୍ରା ଓ ରଥଯାତ୍ରା ଆୟୋଜନ କରାଯାଉଥିବାରୁ ପ୍ରବଳ ଅସନ୍ତୋଷ ପ୍ରକାଶ କରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟ ସେବକ ତଥା ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଏହି ସମ୍ପର୍କରେ ସେ ଇସ୍କନର ଗଭର୍ଣ୍ଣିଂ ବଡି କମିଶନ (GBC) କୁ ଏକ କଡ଼ା ଚିଠି ଲେଖିଛନ୍ତି।

ବିଶ୍ୱର ସମସ୍ତ ଇସ୍କନ ମନ୍ଦିରରେ ଶାସ୍ତ୍ରୀୟ ତିଥି ଓ ନିୟମ ଅନୁଯାୟୀ ଏହି ପବିତ୍ର ଉତ୍ସବ ପାଳନ କରିବାକୁ ସେ ଅନୁରୋଧ କରିଛନ୍ତି।ଗଜପତି ମହାରାଜା ସ୍ପଷ୍ଟ କରିଛନ୍ତି ଯେ, ଶ୍ରୀଜଗନ୍ନାଥ ସଂସ୍କୃତି ଅନୁସାରେ ସାରା ବିଶ୍ୱରେ ସମାନ ତିଥିରେ ହିଁ ଯାତ୍ରା ଅନୁଷ୍ଠିତ ହେବା ଉଚିତ। ଅନ୍ୟ କୌଣସି ତାରିଖରେ ଏହା ଗ୍ରହଣୀୟ ନୁହେଁ। ୨୦୨୫ ଅକ୍ଟୋବରରେ ଇସ୍କନ ଜିବିସି ପ୍ରତିଶ୍ରୁତି ଦେଇଥିଲା ଯେ ବିଶ୍ୱବ୍ୟାପୀ କେବଳ ‘ଜ୍ୟେଷ୍ଠ ପୂର୍ଣ୍ଣିମା’ ଦିନ ହିଁ ସ୍ନାନଯାତ୍ରା କରାଯିବ।

ଚଳିତ ବର୍ଷ ଜୁନ୍ ୨୯ ତାରିଖରେ ଏହି ତିଥି ଥିବାବେଳେ, ଭାରତ ବାହାରେ ଥିବା ଅନେକ ଇସ୍କନ ମନ୍ଦିର ଏହି ନିୟମ ଉଲ୍ଲଂଘନ କରି ଅନ୍ୟ ଦିନରେ ସ୍ନାନଯାତ୍ରା କରିଛନ୍ତି, ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।ସେହିପରି ରଥଯାତ୍ରା ପ୍ରସଙ୍ଗରେ ମହାରାଜା କହିଛନ୍ତି ଯେ, ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା (ଚଳିତ ବର୍ଷ ଜୁଲାଇ ୧୬) ଠାରୁ ଆରମ୍ଭ ହେଉଥିବା ୯ ଦିନିଆ ଅବଧି ମଧ୍ୟରେ ହିଁ ରଥଯାତ୍ରା ସୀମିତ ରହିବା ଦରକାର। ଯଦିଓ ଇସ୍କନ ଉଜ୍ଜୟିନୀ ଭଳି କେତେକ ଭାରତୀୟ ମନ୍ଦିର ଏହାକୁ ମାନୁଛନ୍ତି, କିନ୍ତୁ କିଛି ସ୍ଥାନରେ କାର୍ଯ୍ୟକ୍ରମ ଏହି ୯ ଦିନ ବାହାରେ ମଧ୍ୟ ଜାରି ରହୁଛି।

“ସମୟ, ସ୍ଥାନ ଓ ପରିସ୍ଥିତି ଅନୁସାରେ ଉତ୍ସବ ପାଳନର ଶୈଳୀରେ ସାମାନ୍ୟ ପରିବର୍ତ୍ତନ କରାଯାଇପାରେ, କିନ୍ତୁ ମହାପ୍ରଭୁଙ୍କ ମୁଖ୍ୟ ଯାତ୍ରାର ‘ତିଥି’ ବଦଳାଯାଇପାରିବ ନାହିଁ।” – ଗଜପତି ମହାରାଜାଏହି ଚିଠିରେ ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ୱାରା ଅନୁମୋଦିତ ପଣ୍ଡିତଙ୍କ ମତାମତ ଏବଂ ମୁକ୍ତିମଣ୍ଡପ ପଣ୍ଡିତ ସଭାର ନିଷ୍ପତ୍ତିକୁ ଉଲ୍ଲେଖ କରାଯାଇଛି।

ଶଙ୍କରାଚାର୍ଯ୍ୟ ଏବଂ ବୈଷ୍ଣବାଚାର୍ଯ୍ୟଙ୍କ ମାର୍ଗଦର୍ଶନ ଅନୁଯାୟୀ, ଇସ୍କନ ନିଜର ପୁରୁଣା ନିଷ୍ପତ୍ତିକୁ ସଂଶୋଧନ କରି ସନାତନ ପରମ୍ପରାର ମର୍ଯ୍ୟାଦା ରକ୍ଷା କରୁ ବୋଲି ଗଜପତି ଆହ୍ୱାନ ଦେଇଛନ୍ତି।